ଜିମେଲ୍‌ ସମେତ ଅଚଳ ହେଲା ଅନେକ ଆଣ୍ଡ୍ରଏଡ୍‌ ଆପ୍‌, ସମସ୍ୟାର ସମାଧାନ ହୋଇଗଲେ ସୂଚୀତ କରିବ ଗୁଗୁଲ୍‌

ନୂଆଦିଲ୍ଲୀ: ଅଚାନକ ଜିମେଲ୍‌ ସମେତ ଅନ୍ୟ କେତେକ ଆଣ୍ଡ୍ରଏଡ୍‌ ଆପ୍‌ ଅଚଳ ହୋଇଯାଇଛି। ଆପ୍‌ ଅଚଳ ହୋଇଯିବା ପରେ ବ୍ୟବହାରକାରୀଙ୍କ ଚିନ୍ତା ବଢ଼ିଛି। ଅନେକ ବ୍ୟବହାରକାରୀଙ୍କ ଫୋନ୍‌କୁ ଆପ୍‌ ଅଚଳ ହୋଇଯିବା ନେଇ ନୋଟିଫିକେସନ୍‌ ମଧ୍ୟ ମିଳିଛି। ଗୁଗୁଲ୍ ପେ, ଜିମେଲ୍, ଗୁଗୁଲ୍ କ୍ରୋମ୍ ଭଳି ଗୁରୁତ୍ୱପୂର୍ଣ୍ଣ ଆପ୍‌ଗୁଡ଼ିକୁ ବ୍ୟବହାରକାରୀ ଖୋଲିବା ବେଳେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ସୂଚନା ରହିଛି। ଅଚାନକ ଏପରି ଆପ୍‌ ଅଚଳ ହେବାର କାରଣ ଗୁଗୁଲ୍‌ ତତ୍‌କ୍ଷଣାତ ଖୋଜି ପାଇବାରେ ସମର୍ଥ ହୋଇଛି। ଆଣ୍ଡ୍ରଏଡ୍ ୱେବ୍ ଭିଭ୍ ଆପ୍ ହିଁ ଆଣ୍ଡ୍ରଏଡରେ କିଛି ଆପକୁ ଅଚଳ କରି ପକାଇଥିଲା ବୋଲି ଗୁଗୁଲ୍‌ ପକ୍ଷରୁ କୁହାଯାଇଛି।

ଏ ସଂପର୍କରେ ଏକ ବିବୃତ୍ତି ଜାରି କରି ଗୁଗୁଲ୍‌ର ମୁଖପାତ୍ର କହିଛନ୍ତି କି ‘ଆମେ ଜାଣିବାକୁ ପାଇଛୁ ଯେ ନିର୍ଦ୍ଦିଷ୍ଟ ଏକ କାରଣ ପାଇଁ କିଛି ଆପ୍‌ ଅଚଳ ହୋଇଯାଇଛି। ଫ‌ଳରେ ଜିମେଲ୍‌ ବ୍ୟବହାରକାରୀମାନେ ମଧ୍ୟ ଜିମେଲ୍‌ ଆପ୍‌ ଚଲାଇ ପାରୁନାହାନ୍ତି। ସମସ୍ୟାର ସମାଧାନ ହୋଇଗଲେ ଆମେ ତୁରନ୍ତ ସୂଚନା‌ ଦେବୁ।’ ଏହାବ୍ୟତୀତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ବ୍ୟବହାରକାରୀମାନେ ୱେବ୍‌ର ସହାୟତା ନିୟନ୍ତୁ ବୋଲି ଗୁଗୁଲ୍‌ ନିବେଦନ କରିଛି।

ଏହି ସମସ୍ୟା ଉପୁଜିବା ପରେ ଅନେକ ବ୍ୟବହାରକାରୀ ଅଭିଯୋଗ ଆଣିଛନ୍ତି। ଗୁଗୁଲ୍‌ ମଧ୍ୟ ଏହାକୁ ସ୍ବୀକାର କରିଛି। ମାତ୍ର ଏଯାବତ୍‌ ସମସ୍ୟାର କୌଣସି ପ୍ରକାରର ସମାଧାନ ବାହାରି ପାରିନାହିଁ। ଏହାକୁ ନେଇ କାମ ଚାଲିଛି ବୋଲି ଗୁଗୁଲ୍‌ ପକ୍ଷରୁ କୁହାଯାଇଛି। ଏହି ସମସ୍ୟା ସମସ୍ତ ବ୍ରାଣ୍ଡ୍‌ର ଫୋନ୍‌ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିଥିଲେ ବି ସାମ୍‌ସଙ୍ଗ୍‌ ବ୍ୟବହାରକାରୀମାନେ ବିଶେଷ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

 

ସମ୍ବନ୍ଧିତ ଖବର