କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଅନେକ ଦେଶ ଆଗ୍ରହୀ, କେବଳ ଭାରତ ଚାହିଁଲେ ହେଲା : ପାକିସ୍ତାନ

ଇସ୍ଲାମାବାଦ : କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଅନେକ ଦେଶ ରାଜି ଅଛନ୍ତି, କେବଳ ଭାରତ ଚାହିଁଲେ ହେଲା । ଏପରି କଥା କହିଛି ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ।

ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ମହମ୍ମଦ ଫୈଜଲ କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଅନେକ ଦେଶ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଏଥିଲାଗି ଭାରତ ରାଜି ହେଲା ପରେ ହିଁ କୌଣସି ପ୍ରକାରର ଅଗ୍ରଗତି ହୋଇପାରିବ । ଅନ୍ୟପକ୍ଷରେ କଶ୍ମୀର ଲୋକମାନଙ୍କ ଉପରେ ଭାରତ ଦମନଲୀଳା ଚଳାଇଥିବା ସେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକାଧିକ ଥର ପ୍ରସ୍ତାବ ଦେଇଛନ୍ତି । ସେହିପରି ଚୀନ ମଧ୍ୟ ଏଥିରେ ମଧ୍ୟସ୍ଥତା କରିବାକୁ ପୂର୍ବରୁ ପ୍ରସ୍ତାବ ଦେଇଥିଲା । ଫୈଜଲ ଆହୁରି ମଧ୍ୟ କହିଛନ୍ତି ଯେ କର୍ତ୍ତାରପୁର କରିଡର ସ୍ଥାପନ ପାଇଁ ପାକିସ୍ତାନ ପ୍ରତିଶ୍ରୁତିବଦ୍ଧ । ଏହା ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ଏହି କରିଡର ପାକିସ୍ତାନରେ ଥିବା କର୍ତ୍ତାରପୁର ସାହେବ ଓ ଭାରତର ଗୁରୁଦାସପୁରଠାରେ ଥିବା ଡେରା ବାବା ନାନକ ସାହେବକୁ ସଂଯୋଗ କରିବ।

ସମ୍ବନ୍ଧିତ ଖବର