ପୁରୀଠାରୁ ୬୮୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଉପରେ ରହିଛି ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’

ଭୁବନେଶ୍ବର: ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ସମ୍ପ୍ରତି ପୁରୀର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗସ୍ଥିତ ବଙ୍ଗୋପସାଗରର ୬୮୦ କିଲୋମିଟର୍‌ ଦୂରରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ୧୨ ନମ୍ବର ବୁଲେଟିନ୍‌ରୁ ଜଣାପଡ଼ିଛି।

ଉକ୍ତ ବ‌ୁଲେଟିନ୍‌ ଅନୁସାରେ, ଦକ୍ଷିଣପୂର୍ବ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୨୫ କିଲୋମିଟର୍‌ ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ଭୋର୍‌ ୫.୩୦ ସୁଦ୍ଧା ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ନିକଟ ୧୩.୭ ଡିଗ୍ରି ଉତ୍ତର ଅକ୍ଷାଂଶ ଏବଂ ୮୬.୩ ଡିଗ୍ରି ପୂର୍ବ ଦ୍ରାଘିମା ମଧ୍ୟରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ସ୍ଥଳଭାଗ ହିସାବରେ ଦେଖିଲେ, କାର୍‌ ନିକୋବର୍‌ର (ନିକୋବର ଦ୍ବୀପପୁଞ୍ଜ) ପ୍ରାୟ ୮୭୦ କିଲୋମିଟର୍‌ ପଶ୍ଚିମ-ଉତ୍ତରପଶ୍ଚିମ, ପୋର୍ଟବ୍ଲେୟାର୍‌ର (ଆଣ୍ଡାମାନ ଦ୍ବୀପପୁଞ୍ଜ) ୭୩୦ କିଲୋମିଟର୍‌ ପଶ୍ଚିମ-ଉତ୍ତରପଶ୍ଚିମ, ବିଶାଖାପାଟଣାର (ଆନ୍ଧ୍ରପ୍ରଦେଶ) ୫୫୦ କିଲୋମିଟର୍‌ ଦକ୍ଷିଣପୂର୍ବ ଏବଂ ପୁରୀର (ଓଡ଼ିଶା) ଦକ୍ଷିଣ-ଦକ୍ଷିଣପୂର୍ବକୁ ୬୮୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି।

Image Courtesy of The Financial Express

ମେ ୧୦ ତାରିଖ ପର୍ଯ୍ୟନ୍ତ ସାମୁଦ୍ରିକ ବାତ୍ୟା ‘ଅସାନି’ ଉତ୍ତରପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମଧ୍ୟସ୍ଥ ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ଅଛି। ଏହାପରେ, ଏହା ଓଡ଼ିଶା ଉପକୂଳ ଅନ୍ତର୍ଗତ ବଙ୍ଗୋପସାଗରର ଉତ୍ତର-ଉତ୍ତରପଶ୍ଚିମକୁ ମୋଡ଼ ବଦଳାଇ ପାରେ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହି ସାମୁଦ୍ରିକ ବାତ୍ୟା କ୍ରମଶଃ ଦୁର୍ବଳ ହୋଇଯିବ।

ସମ୍ଭାବ୍ୟ ବାତ୍ୟା ଯୋଗୁଁ ଓଡ଼ିଶାର ସମସ୍ତ ବନ୍ଦର ନିମନ୍ତେ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ସମ୍ବନ୍ଧିତ ଖବର