ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ରାଷ୍ଟ୍ରପତି ଅବ୍‌ଦେଲ ଫତେହ ଅଲ୍-ସିସିଙ୍କ ସହ କଥାବାର୍ତ୍ତା କରିବା ସହ ପଶ୍ଚିମ ଏସିଆରେ ବିପର୍ଯ୍ୟସ୍ତ ସୁରକ୍ଷା ଏବଂ ମାନବିକ ସଂକଟ ଉପରେ ମତବିନିମୟ କରିଛନ୍ତି। ସିସିଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିବା ପରେ ମୋଦୀ କହିଛନ୍ତି ଯେ ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନହାନିକୁ ନେଇ ଉଭୟ ନେତା ଚିନ୍ତା ବ୍ୟକ୍ତ କରିଛନ୍ତି।

Advertisment

ରବିବାର ଏକ୍ସରେ ଏକ ପୋଷ୍ଟରେ ମୋଦୀ କହିଛନ୍ତି- ଗତକାଲି ସେ ରାଷ୍ଟ୍ରପତି ସିସିଙ୍କ ସହ କଥା ହୋଇଥିଲେ। ପଶ୍ଚିମ ଏସିଆରେ ବିପର୍ଯ୍ୟସ୍ତ ସୁରକ୍ଷା ଓ ମାନବିକ ସ୍ଥିତି ଉପରେ ମତବିନିମୟ ହୋଇଥିଲା। ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନହାନିକୁ ନେଇ ଉଭୟ ଚିନ୍ତା ବ୍ୟକ୍ତ କରିଛନ୍ତି। ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଏବଂ ମାନବିକ ସହାୟତା ଯୋଗାଇ ଦେବାର ଆବଶ୍ୟକତା ଉପରେ ଆମେ ସହମତ ବୋଲି ମୋଦୀ କହିଛନ୍ତି। ଇଜିପ୍ଟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ରାଷ୍ଟ୍ରପତି ଅଲ-ସିସିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଏକ ଫୋନ୍ କଲ୍ ଆସିଥିଲା ଏବଂ ଦୁଇ ନେତା ଗାଜାପଟିରେ ଇସ୍ରାଏଲର ସାମରିକ ଅପରେସନର ସଦ୍ୟତମ ଗତିବିଧି ଉପରେ ମତବିନିମୟ କରିଥିଲେ।