ପଞ୍ଜାବରେ ଉତ୍କଟ ବିଜୁଳି ଅଭାବ, ଅମରିନ୍ଦରଙ୍କୁ ପୁଣି ଟାର୍ଗେଟ୍ କଲେ ସିଦ୍ଧୁ

ରାଜ୍ୟର ଅଧିକାଂଶ ସ୍ଥାନରେ ୧୪ ଘଣ୍ଟା ବିଜୁଳି କାଟ୍‌, ୯ ମାସ ଧରି ବିଦ୍ୟୁତ ବିଲ୍‌ ପୈଠ କରିନାହାନ୍ତି ସିଦ୍ଧୁ

ଚଣ୍ଡିଗଡ଼ : ପଞ୍ଜାବରେ ଗୋଟିଏ ପଟେ ଗ୍ରୀଷ୍ମ ଲହରି ଚାଲିଥିବା ବେଳେ ଅନ୍ୟପଟେ ବିଜୁଳିର ଉତ୍କଟ ଅଭାବ ଦେଖାଦେଇଛି। ଏଥିଯୋଗୁ ରାଜ୍ୟ‌ର କେତେକ ସ୍ଥାନରେ ଗତ ୧୪ ଘଣ୍ଟା ଧରି ବିଜୁଳି କାଟ୍ ହୋଇଛି। ପଞ୍ଜାବରେ ମୋଟ ବିଜୁଳି ଚାହିଦା ଗୁରୁବାର ୧୪୫୦୦ ମେଗାୱାଟ୍‌ରେ ପହଞ୍ଚିଛି। ଅନ୍ୟପକ୍ଷରେ ଉତ୍ପାଦନ କମ୍ ଥିବାରୁ ଯୋଗାଣରେ ୧୩୩୦ ମେଗାୱାଟ୍ ବିଦ୍ୟୁତ୍‌ ନିଅଣ୍ଟ ଦେଖାଦେଇଛି। ରାଜ୍ୟର ବିଜୁଳି ସଂକଟ ପ୍ରସଙ୍ଗରେ କଂଗ୍ରେସର ବିଦ୍ରୋହୀ ନେତା ନବଜୋତ ସିଂହ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ସମାଲୋଚନା କରିଛନ୍ତି। ଏହି ସଂକଟ ପାଇଁ ସେ ପୂର୍ବର ସିରୋମଣି ଅକାଳୀ ଦଳ ସରକାରକୁ ଦାୟୀ କହିଛନ୍ତି। ସିଦ୍ଧୁ ଏହି ପ୍ରସଙ୍ଗରେ ୯ଟି ଟ୍ବିଟ୍ କରିଛନ୍ତି। ଯଦି ଠିକ୍ ଭାବେ କାର୍ଯ୍ୟ ହୁଏ ତାହେଲେ ରାଜ୍ୟରେ ବିଜୁଳି କାଟ୍‌, କାର୍ଯ୍ୟାଳୟ ସମୟରେ ପରିବର୍ତ୍ତନ କିମ୍ବା ସାଧାରଣ ଲୋକଙ୍କୁ ଏସି ବନ୍ଦ କରିବାକୁ ପଡ଼ିବନି ବୋଲି ସିଦ୍ଧୁ କହିଛନ୍ତି। ସିଦ୍ଧୁଙ୍କ ସମାଲୋଚନା ପରେ ଅମରିନ୍ଦର ସମର୍ଥକମାନେ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟରେ କଂଗ୍ରେସର ଆଭ୍ୟନ୍ତରୀଣ କଳହ ପୁଣି ବଢ଼ିଯିବାରୁ ହାଇକମାଣ୍ଡ୍‌ଙ୍କ ଚିନ୍ତା ମଧ୍ୟ ବଢ଼ିଛି। ମୋହାଲିର କେତେକ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରୁ ୧୪ ଘଣ୍ଟା ହେଲା ବିଜୁଳି ନାହିଁ। ସେହିଭଳି ପତିଆଲା, ଭାଟିଣ୍ଡାରେ ୭ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କଟିଥିବାବେଳେ କପୁରତାଲା, ତରନ୍ ତରନ, ଫିରୋଜପୁର, ମୁକ୍ତସର ଏବଂ ଲୁଧିଆନାରେ ୬ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟ୍‌ ହୋଇଛି। ଗତ ସପ୍ତାହେ ହେଲା ରାଜ୍ୟର ଗାମାଞ୍ଚଳକୁ ବିଜୁଳି ଯୋଗାଣକୁ କମାଇ ଦିଆଯାଇଛି। ଗ୍ରାମାଞ୍ଚଳରେ ବିଲରେ ଧାନ ରୋଉଥିବା କୃଷକମାନେ ଏହାଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଚାରିଆଡ଼ୁ ପ୍ରବଳ ସମାଲୋଚନାର ଶିକାର ହୋଇଥିବା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏଥିପାଇଁ ଗୁରୁବାର କେତେକ ଜରୁରୀ ପଦକ୍ଷେପ ନେଇଛନ୍ତି। ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ବିଜୁଳି ଯୋଗାଣ ଉପରେ କଟକଣା ଲଗାଇ ଦେଇଛନ୍ତି। ଏଥିସହିତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟସମୟ ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ କରିଦେଇଛନ୍ତି।

୯ ମାସ ଧରି ବିଦ୍ୟୁତ ବିଲ୍‌ ପୈଠ କରିନାହାନ୍ତି ସିଦ୍ଧୁ
ଚଣ୍ଡିଗଡ଼ : ପଂଜାବରେ ବିଜୁଳି ସଙ୍କଟ ଦୂର କରିବା ପାଇଁ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ଏକ ଟ୍ବିଟ୍‌ କରି କିଛି ପରାମର୍ଶ ଦେଇଥିଲେ। କିନ୍ତୁ ଜାଣିବାକୁ ମିଳିଛି ଯେ ନିଜେ ସିଦ୍ଧୁ ୯ ମାସ ଧରି ବିଦ୍ୟୁତ ବିଲ୍‌ ପୈଠ କରିନାହାନ୍ତି। ସିଦ୍ଧୁଙ୍କ ବକେୟା ବିଦ୍ୟୁତ ବିଲ୍‌ ପ୍ରାୟ ୮,୬୭,୫୪୦ ଟଙ୍କା ବୋଲି ଜଣାପଡ଼ିଛି। କିନ୍ତୁ ସିଦ୍ଧୁ ବିଦ୍ୟୁତ୍‌ ପ୍ରସଙ୍ଗ ନେଇ ଉଭୟ ବର୍ତ୍ତମାନର ସରକାର ଏବଂ ପୂର୍ବରୁ ଅକାଳୀ ଦଳ ସରକାରକୁ ଟା‌ର୍ଗେଟ୍‌ କରି ଆସୁଥିବାବେଳେ ନିଜେ ବିଦ୍ୟୁତ୍‌ ବିଲ୍‌ ପୈଠ ନକରିବା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର