ନୂଆଦିଲ୍ଲୀ : ଭାରତର ଦକ୍ଷିଣାଞ୍ଚଳରେ ପ୍ରବଳ ଜଳସଂକଟ ଦେଖାଦେଇଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁର ଜଳଭଣ୍ଡାରଗୁଡ଼ିକର ଜଳ ସଂରକ୍ଷଣ କ୍ଷମତା ଉଦ୍ବେଗଜନକ ହ୍ରାସ ପାଇଛି ବୋଲି କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ସୂତ୍ରରୁ ଜଣାପଡ଼ିଛି। ଭାରତର ବିଭିନ୍ନ ଅଞ୍ଚଳରେ ଥିବା ଜଳଭଣ୍ଡାରଗୁଡ଼ିକର ଜଳସ୍ତର ସମ୍ପର୍କରେ ସିଡବ୍ଲ୍ୟୁସି ଦ୍ୱାରା ଜାରି ବୁଲେଟିନ୍ରେ କୁହାଯାଇଛି ଯେ ଦକ୍ଷିଣାଞ୍ଚଳରେ ସିଡବ୍ଲ୍ୟୁସି ତଦାରଖ ଅଧୀନରେ ଥିବା ୪୨ଟି ଜଳଭଣ୍ଡାରର ସମୁଦାୟ ଜଳସଂରକ୍ଷଣ କ୍ଷମତା ୫୩.୩୩୪ ବିସିଏମ୍ (ବିଲିୟନ କ୍ୟୁବିକ୍ ମିଟର) ରହିଛି। କିନ୍ତୁ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ଜଳଭଣ୍ଡାରଗୁଡ଼ିକରେ ବର୍ତ୍ତମାନ ୮.୮୬୫ ବିସିଏମ୍ ଜଳ ରହିଛି, ଯାହା ସେଗୁଡ଼ିକର ମୋଟ କ୍ଷମତାର ମାତ୍ର ୧୭ ପ୍ରତିଶତ। ଗତବର୍ଷ ସମାନ ଅବଧି (୨୯ ପ୍ରତିଶତ) ଏବଂ ସମାନ ଅବଧିର ୧୦ ବର୍ଷର ହାରାହାରି (୨୩ ପ୍ରତିଶତ) ତୁଳନାରେ ଏହି ସଂଖ୍ୟା ଯଥେଷ୍ଟ କମ୍। ଏହା ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ଜଳସେଚନ, ପାନୀୟ ଜଳ ଯୋଗାଣ ଏବଂ ଜଳବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳ ଅଭାବର ସଙ୍କେତ ଦେଉଛି।
ଅପରପକ୍ଷରେ ଆସାମ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ନେଇ ଗଠିତ ପୂର୍ବାଞ୍ଚଳରେ ଗତବର୍ଷ ତୁଳନାରେ ଜଳ ସଂରକ୍ଷଣ ସ୍ତରରେ ସକାରାତ୍ମକ ଉନ୍ନତି ପରିଲକ୍ଷିତ ହୋଇଛି। ବୁଲେଟିନ୍ରେ ଦର୍ଶାଯାଇଛି ଯେ ଏହି ଅଞ୍ଚଳରେ ୨୦.୪୩୦ ବିସିଏମ୍ର ସମୁଦାୟ ସଂରକ୍ଷଣ କ୍ଷମତା ଥିବା ୨୩ଟି ଜଳଭଣ୍ଡାରରେ ବର୍ତ୍ତମାନ ୭.୮୮୯ ବିସିଏମ୍ ଜଳ ରହିଛି, ଯାହା ସେଗୁଡ଼ିକର ମୋଟ କ୍ଷମତାର ୩୯ ପ୍ରତିଶତ। ଏହା ଗତବର୍ଷ ସମାନ ଅବଧି (୩୪ ପ୍ରତିଶତ) ଏବଂ ୧୦ ବର୍ଷର ହାରାହାରି (୩୪ ପ୍ରତିଶତ) ତୁଳନାରେ ଷ୍ଟୋରେଜ୍ ସ୍ତରରେ ଉନ୍ନତି ଆଣିଛି। ଗୁଜରାଟ ଓ ମହାରାଷ୍ଟ୍ରକୁ ନେଇ ଗଠିତ ପଶ୍ଚିମାଞ୍ଚଳରେ ୧୧.୭୭୧ ବିସିଏମ୍ ଜଳଭଣ୍ଡାର ରହିଛି, ଯାହା କି ୪୯ଟି ଜଳଭଣ୍ଡାରର ସମୁଦାୟ କ୍ଷମତାର ୩୧.୭ ପ୍ରତିଶତ। ଏହା ପୂର୍ବ ବର୍ଷର ଷ୍ଟୋରେଜ୍ ସ୍ତର (୩୮ ପ୍ରତିଶତ) ଏବଂ ଦଶ ବର୍ଷର ହାରାହାରି (୩୨.୧ ପ୍ରତିଶତ) ତୁଳନାରେ କମ୍।