ନୂଆଦିଲ୍ଲୀ: ଯଦି ବିବାହ ବନ୍ଧନରେ ଆବଦ୍ଧ ନ ହୋଇ ସୁଦ୍ଧା ଜଣେ ପୁରୁଷ ଓ ମହିଳା ‘ଲିଭ୍ ଇନ୍ ରିଲେସନ୍ସିପ୍’ରେ ଏକତ୍ର ରହୁଛନ୍ତି ଏବଂ ସହମତି ଭିତ୍ତିରେ ଉଭୟଙ୍କ ମଧ୍ୟରେ ଯୌନ ସଂପର୍କ ସ୍ଥାପିତ ହେଉଛି; ଏବଂ ପରବର୍ତ୍ତୀ ସମୟରେ ପୁରୁଷ ଜଣକ ଯଦି କୌଣସି କାରଣରୁ ସଂପୃକ୍ତା ମହିଳାଙ୍କୁ ବିବାହ କରିବା ପାଇଁ ଅସମର୍ଥ ହେଉଛନ୍ତି, ତେବେ ସେ କ୍ଷେତ୍ରରେ ମହିଳା ଜଣଙ୍କ ପୁରୁଷଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଗତ କରିପାରିବେ ନାହିଁ। ଖାଲି ଏତିକି ନୁହେଁ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ କରିପାରିବେ ନାହିଁ ବୋଲି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।
ମହାରାଷ୍ଟ୍ରର ଜନୈକ ସରକାରୀ ଡାକ୍ତରଙ୍କ ତାଙ୍କ ସହ କାର୍ଯ୍ୟ କରୁଥିବା ଜନୈକା ନର୍ସଙ୍କ ସହ ଦୀର୍ଘ ଦିନ ଧରି ‘ଲିଭ୍ ଇନ୍ ରିଲେସନ୍ସିପ୍’ରେ ରହିଥଲେ। ଉଭୟଙ୍କ ମଧ୍ୟରେ ସହମତି ଭିତ୍ତିରେ ଯୌନ ସଂପର୍କ ମଧ୍ୟ ସ୍ଥାପିତ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଡାକ୍ତର ଜଣକ ସଂପୃକ୍ତା ନର୍ସଙ୍କୁ ବିବାହ କରିବାକୁ ମନା କରିଦେବା ପରେ ନର୍ସ ଜଣକ ଡାକ୍ତରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଗତ କରିଥିଲେ। ଆଗତ ଅଭିଯୋଗରେ ନର୍ସ ଜଣକ କହିଥିଲେ ଯେ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଡାକ୍ତର ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। ତେବେ, ସୁପ୍ରିମ୍ କୋର୍ଟ ଏହି ମାମଲାର ବିଚାର କରି ଆଗତ ମାମଲାଟିକୁ ଖାରଜ କରିଦେଇଛନ୍ତି।
ସୁୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଏ କେ ସିକ୍ରି ଓ ଜଷ୍ଟିସ୍ ଏସ୍ ଅବ୍ଦୁଲ୍ ନଜିରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାକୁ ଖାରଜ କରିବା ସହ କହିଛନ୍ତି, ‘ଦୁଷ୍କର୍ମ ଓ ସହମତି ଭତ୍ତିରେ ଯୌନ ସଂପର୍କ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ବିଭାଜନ ରେଖା ରହିବା ଉଚିତ।’ କାରଣ ଯଦି କୌଣସି ପ୍ରାପ୍ତ ବୟସ୍କ ପୁରୁଷ ଓ ମହିଳା ଯଦି ବିବାହ ବନ୍ଧନରେ ଆବଦ୍ଧ ନ ହୋଇ ସୁଦ୍ଧା ଜଣେ ପୁରୁଷ ଓ ମହିଳା ‘ଲିଭ୍ ଇନ୍ ରିଲେସନ୍ସିପ୍’ରେ ଏକତ୍ର ରହୁଛନ୍ତି ଏବଂ ସହମତି ଭିତ୍ତିରେ ଉଭୟଙ୍କ ମଧ୍ୟରେ ଯୌନ ସଂପର୍କ ସ୍ଥାପିତ ହେଉଛି; ଏବଂ ପରବର୍ତ୍ତୀ ସମୟରେ ପୁରୁଷ ଜଣକ ଯଦି କୌଣସି କାରଣରୁ ସଂପୃକ୍ତା ମହିଳାଙ୍କୁ ବିବାହ କରିବା ପାଇଁ ଅସମର୍ଥ ହେଉଛନ୍ତି, ତେବେ ସେ କ୍ଷେତ୍ରରେ ମହିଳା ଜଣଙ୍କ ପୁରୁଷଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଗତ କରିପାରିବେ ନାହିଁ ବୋଲି କୋର୍ଟ ତାଙ୍କ ରାୟରେ ସଷ୍ଟ କରି ଦେଇଛନ୍ତି।