ବ୍ରିଜ ଭୂଷଣ ନାମରେ ଯୌନ ଶୋଷଣ ମାମଲା: ମେରି କମ୍‌ଙ୍କ ନେତୃତ୍ବରେ ତଦନ୍ତ ସମିତି ଗଠିତ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ସଂଘ (ଡବ୍‌ଲ୍ୟୁଏଫଆଇ) ସଭାପତି ତଥା ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ନାମରେ ଖେଳାଳିମାନେ ଆଣିଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ କରିବ ବିଶ୍ବ ବିଜୟିନୀ ମେରି କମ୍‌ଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସମିତି। ପରବର୍ତୀ ଗୋଟିଏ ମାସ ପାଇଁ ମଧ୍ୟ ଡବ୍‌ଲ୍ୟୁଏଫଆଇର ଦୈନଦିନ ବ୍ୟାପାରର ଦେଖାଶୁଣା କରିବେ ମେରି କମ୍‌। ଏହି ସମିତିରେ ଅଲିମ୍ପିକ୍ସ ପଦକ ବିଜେତା ଯୋଗେଶ୍ବର ଦତ୍ତ, ପୂର୍ବତନ ବ୍ୟାଡମିଣ୍ଟନ୍ ଖେଳାଳି ତଥା ମିଶନ୍ ଅଲିମ୍ପିକ୍ସ ସେଲ୍ ସଦସ୍ୟା ତୃପ୍ତି ମୁରଗୁଣ୍ଡେ, ଟପ୍ସର ପୂର୍ବତନ ସିଇଓ ରାଜାଗୋପାଳନ ଏବଂ ପୂର୍ବତନ ସାଇ କାର୍ଯ୍ୟନିର୍ବାହୀ ନିର୍ଦେଶକ ରାଧିକା ଶ୍ରୀମନ ସାମିଲ ଅଛନ୍ତି। କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଶନିବାର ଏହି ସୂଚନା ଦେଇଥିଲେ ମଧ୍ୟ ସୋମବାର ସମ୍ପୂର୍ଣ୍ଣ ତାଲିକା ‌ଘୋଷଣା କରିଛନ୍ତି। ବ୍ରିଭ ଜୂଷଣଙ୍କ ନାମରେ ଭ‌ିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାଖୀ ମଲ୍ଲିକ, ରବି ଦାହିୟା ପ୍ରମୁଖ ଯୌନ ଶୋଷଣ ଓ ଅନିୟମିତତା ଅଭିଯୋଗ ଆଣିବା ସହ ଜନ୍ତର ମନ୍ତରରେ ଧାରଣାରେ ବସିଥିଲେ। ଶନିବାର ଶ୍ରୀ ଠାକୁର ପ୍ରତି‌ଶ୍ରୁତି ଦେବା ପରେ ସେମାନେ ଏଥିରୁ ଓହରିଥିଲେ।

ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍‌ଆଇ)ର ଏକ ଜରୁରୀ ସାଧାରଣ ପରିଷଦ ବୈଠକ ରବିବାର ଅଯୋଧ୍ୟାରେ ବସିବାର ଥିଲା। କିନ୍ତୁ କୁସ୍ତି ସଂଘ ଏବଂ ଏହାର ସଭାପତିଙ୍କ ବିରୋଧରେ ଅଭିଯୋଗ ଯୋଗୁଁ ସମସ୍ତ ସାଂପ୍ରତିକ କାର୍ଯ୍ୟକଳାପଗୁଡ଼ିକୁ ବାତିଲ କରିବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେବା ପରେ ଡବ୍ଲୁଏଫ୍‌ଆଇ ବୈଠକ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି। ସଂଘ ବିରୋଧରେ ମହିଳା କୁସ୍ତିବିତ୍‌ମାନଙ୍କୁ ଯୌନ ଶୋଷଣ କରାଯାଉଥିବା ଏବଂ ଦୁର୍ନୀତି ସଂପର୍କିତ ଅଭିଯୋଗ କରିଥିଲେ। କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମାମଲାର ତଦନ୍ତ ପାଇଁ କମିଟି ଗଠନ କରି ଆନ୍ଦୋଳନକାରୀଙ୍କୁ ଧାରଣା ପ୍ରତ୍ୟାହାର ପାଇଁ ପରାମର୍ଶ ଦେଇଥିଲେ। ସଂଘର ସହକାରୀ ସଂପାଦକ ବିନୋଦ ଟୋମାରଙ୍କୁ ନିଲମ୍ବିତ କରିଥିଲେ। ଫଳରେ ତଦନ୍ତ କମିଟି ଦାୟିତ୍ବ ନେବା ଏବଂ ସରକାରଙ୍କୁ ରିପୋର୍ଟ ଦେବା ପର୍ଯ୍ୟନ୍ତ ଡବ୍ଲୁଏଫ୍‌ଆଇ କ୍ରୀଡ଼ା ସଂପର୍କିତ କୌଣସି କାର୍ଯ୍ୟକଳାପ ହାତକୁ ନେଇପାରିବ ନାହିଁ । ଏପରିକି ଏହି ସମୟ ମଧ୍ୟରେ କୌଣସି ପ୍ରତିଯୋଗିତା ମଧ୍ୟ ସଂଘ ପରିଚାଳନା ନକରିବାକୁ ନିର୍ଦେଶ ଦିଆଯାଇଥିଲା। ବିଭିନ୍ନ ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ କରାଯିବ ସହ ଏବେ ସଂଘ ଦ୍ବାରା ସମସ୍ତ କାର୍ଯ୍ୟକଳାପ ବନ୍ଦ ରଖିବାକୁ ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଶନିବାର ଡବ୍ଲୁଏଫ୍‌ଆଇକୁ ଜଣାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର