ଥାଣେ: ଥାଣେର ଏକ ନର୍ସରୀ ସ୍କୁଲ୍ରେ ଅତି ଅମାନବୀୟ କାଣ୍ଡ ଘଟିଛି। ୩ ଏବଂ ୪ ବର୍ଷର ୨ ଜଣ ଶିଶୁ ଯୌନ ଅତ୍ୟାଚାରର ଶିକାର ହୋଇଥିବା ଜଣାପଡ଼ିବା ପରେ ଉକ୍ତ ଘଟଣାକୁ ବିରୋଧ କରି ଆଜି ସମ୍ପୃକ୍ତ ଅଞ୍ଚଳରେ ବିଶାଳ ଆନ୍ଦୋଳନ ହୋଇଛି। ଖାଲି ସେତିକି ନୁହେଁ ନିରୀହ ଶିଶୁଙ୍କ ବାପା ମା’ଙ୍କୁ ଏତଲା ରୁଜୁ କରିବାପାଇଁ ସ୍ଥାନୀୟ ଥାନାରେ ୧୧ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିବାରୁ ଏହାକୁ ନେଇ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ ହୋଇଛି। ହିଂସା ବ୍ୟାପୁଥିବାରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏହି ମାମଲାରେ ଏନ୍ଏଚ୍ଆର୍ସି ମଧ୍ୟ ଆଜି ରାଜ୍ୟ ସରକାରକୁ ରିପୋର୍ଟ ତଲବ କରିଛି। ହଜାର ହଜାର ଜନତା ପୁଲିସ ଷ୍ଟେସନକୁ ଘେରିଯିବା ପରେ ଦାୟିତ୍ବରେ ଅବହେଳା ପାଇଁ ୩ ପୁଲିସ ନିଲମ୍ବିତ ହୋଇଛନ୍ତି। ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ଆଜି ବଦଲାପୁରରେ ସ୍ଥାନୀୟ ରେଳ ଷ୍ଟେସନ୍ ଯାଇ ଧାରଣାରେ ବସିଥିଲେ ଏବଂ ଅନେକ ଟ୍ରେନ୍ ଅଟକାଇ ଉକ୍ତ ଘଟଣାର ପ୍ରତିବାଦ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଆାନ୍ଦୋଳନକାରୀ ବୁଝିନଥିଲେ। ଏଭଳି ଘୃଣ୍ୟ କାମ କରିଥିବା ନୃଶଂସକୁ ଫାଶୀ ଦିଆଯାଉ ବୋଲି ଆନ୍ଦୋଳନକାରୀ ଦାବି କରିଥିଲେ।। ଆନ୍ଦୋଳନସ୍ଥଳରେ ପଥର ମାଡ଼ ମଧ୍ୟ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୁଲିସ ଲାଠିମାଡ଼ କରିଥିଲା। ଆନ୍ଦୋଳନରତ ବ୍ୟକ୍ତି ମଧ୍ୟ ଉକ୍ତ ଘଟଣାକୁ ବିରୋଧ କରି ସ୍କୁଲ୍ ଭଙ୍ଗାରୁଜା କରିଛନ୍ତି।
ପୁଲିସ-ଆନ୍ଦୋଳନକାରୀ ମୁହାଁମୁହିଁ, ଲାଠିମାଡ଼
ଇଣ୍ଟରନେଟ୍ ସେବା ବନ୍ଦ, ରିପୋର୍ଟ ମାଗିଲା ଏନ୍ଏଚ୍ଆର୍ସି
ମିଳିଥିବା ସୂଚନାନୁଯାୟୀ ଜଣେ ୨୩ ବର୍ଷୀୟ ସଫେଇ କର୍ମୀ ଏହି ଘୃଣ୍ୟ କାର୍ଯ୍ୟରେ ସମ୍ପୃକ୍ତ। ଅଗଷ୍ଟ ୧୩ ତାରିଖରେ ଏହି ଘଟଣା ଘଟିଥିଲା। ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଶିଶୁ ଅଗଷ୍ଟ ୧୬ ତାରିଖରେ ସ୍କୁଲ୍ ଯିବାକୁ ରାଜି ହୋଇନଥିଲା। ଫଳରେ ଶିଶୁର ବାପା ମା’ ତାକୁ ଘଟଣା ସଂକ୍ରାନ୍ତରେ ପଚାରିଥିଲେ। ସେମାନେ ଏହାପରେ ପିଲାକୁ ହସ୍ପିଟାଲ୍ ନେଇ ପରୀକ୍ଷା କରାଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼ିଥଲା ଯେ ୨ ଜଣ ଶିଶୁ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସ୍କୁଲ୍ ପରିସରରେ ଥିବା ସିସିଟିଭି କାମ କରୁନି। ସ୍କୁଲ୍ ମ୍ୟାନେଜମେଣ୍ଟ୍ ଏହି ଘଟଣାରେ ପ୍ରିନ୍ସପାଲ୍ , ଶ୍ରେଣୀ ଶିକ୍ଷକ ଏବଂ ଜଣେ ମହିଳା ଆଟେଣ୍ଡାଣ୍ଟ୍ଙ୍କୁ ନିଲମ୍ବନ କରିଛନ୍ତି। ଇତିମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି, ଉକ୍ତ ଘଟଣାର ଏସ୍ଆଇଟି ତଦନ୍ତ ହେବ। ଜଣେ ମହିଳା ଆଇପିଏସ୍ ଅଫିସର ଉକ୍ତ ମାମଲାର ତଦନ୍ତ କରିବେ। ଇତିମଧ୍ୟରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fshhfshfshfshfs.jpg)