୬ ବର୍ଷ ଧରି ବରିଷ୍ଠ ଅଧିକାରୀଙ୍କ ଯୌନ ନିର୍ଯ୍ୟାତନାର ଶିକାର ଏୟାର ହୋଷ୍ଟେସ୍‌ ଶେଷରେ ସୋସିଆଲ୍‌ ମିଡିିଆ ଜରିଆରେ ମାଗିଲେ ନ୍ୟାୟ! ଜାଣନ୍ତୁ ତା’ପରେ କ’ଣ ହେଲା

ନୂଆଦିଲ୍ଲୀ: ସରକାରୀ ବିମାନ ପରିବହନ ସଂସ୍ଥା ଏୟାର ଇଣ୍ଡିଆର ଜଣେ ଏୟାର ହୋଷ୍ଟେସ୍‌ ଜନୈକ ବରିଷ୍ଠ ଅଧିକାରୀଙ୍କ ନାମରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଗତ ୬ ବର୍ଷ ଧରି ସେ ବରିଷ୍ଠ ଅଧିକାରୀଙ୍କ ଯୌନ ଉତ୍ପୀଡ଼ନର ଶିକାର ହୋଇ ଆସୁଥିଲେ ମଧ୍ୟ କମ୍ପାନିର ପରିଚାଳନା କର୍ତ୍ତୃପକ୍ଷ ତାଙ୍କର ଅଭିଯୋଗ ପ୍ରତି ଧ୍ୟାନ ଦେଉନାହାନ୍ତି। ଗତ ୨୦୧୭ ସେପ୍‌ଟେମ୍ବରରେ ସେ ଏ ନେଇ ଅଭିଯୋଗ କରିଥିଲେ ହେଁ କୌଣସି ପଦକ୍ଷେପ ନେଇ ନ ଥିଲେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ। ଏହାପରେ ଏୟାର୍‌ ହୋଷ୍ଟେସ୍‌ ଜଣକ ସୋସିଆଲ୍‌ ମିଡ଼ିଆର ସାହାଯ୍ୟ ନେଇ ବେସାମରିକ ବିମାନ ପରିଚାଳନା ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ପ୍ରଭୁ ଏୟାର ଇଣ୍ଡିଆ ଅଧ୍ୟକ୍ଷଙ୍କୁ ଟ୍ଵିଟ୍‌ କରି କହିଛନ୍ତି କି ତୁରନ୍ତ ଅଭିଯୋଗର ବିଚାର କରନ୍ତୁ,ଯଦି ଆବଶ୍ୟକ ହୁଏ, ଏକ ସ୍ୱତନ୍ତ୍ର କମିଟି ଗଠନ କରନ୍ତୁ।

Siasat

ଗତ ୨୫ ତାରିଖରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଦେଇଥିବା ଏକ ଅଭିଯୋଗ ପତ୍ରରେ ଏୟାର ହୋଷ୍ଟେସ୍‌ ଜଣକ ଜଣାଇଛନ୍ତି କି ଗତ ୬ ବର୍ଷ ହେବ ବରିଷ୍ଠ ଅଧିକାରୀ ଜଣକ ତାଙ୍କୁ ଯୌନ ନିର୍ଯାତନା ଦେବା ସହ ଅପମାନିତ କରିଚାଲିଛନ୍ତି। ସେ ଲେଖିଛନ୍ତି, ‘କେବଳ ମୁଁ ନୁହେଁ,ଅନ୍ୟ ମହିଳା କର୍ମଚାରୀଙ୍କୁ ମଧ୍ୟ ସେ ତାଙ୍କ ସହ ବାର୍‌କୁ ଯାଇ ମଦ ପିଇବା ଲାଗି ବାଧ୍ୟ କରୁଛନ୍ତି। ଆମ ଭିତରୁ ଅନେକ ଏପରି କରିବାକୁ ବାଧ୍ୟ ହେଉଛୁ। ମୁଁ ତାଙ୍କର ସବୁ କଥାରେ ରାଜି ନ ହେବାରୁ ସେ ଚାକିରି ସଂପର୍କୀତ ସୁବିଧା ସୁଯୋଗରୁ ମତେ ବଞ୍ଚତ କରିଥିଲେ। ସେ ମୋ ଜୀବନ ନର୍କରେ ପରିଣତ କରି ଦେଇଛନ୍ତି। ଆପଣଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ପରେ ଉକ୍ତ ଅଧିକାରୀଙ୍କ ନାମ ପ୍ରକାଶ କରିବି।’

ଏୟାର ହେଷ୍ଟସ୍‌ ଜଣକ ଜଣେ ସିଙ୍ଗଲ୍‌ ମଦର। ସେ ଗଣମାଧ୍ୟମକୁ କହିଛନ୍ତି କି ଅନ୍ୟ କୌଣସି ବିମାନ କମ୍ପାନି ହୋଇଥିଲେ ଅଧିକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇସାରିଥାଆନ୍ତା,କିନ୍ତୁ ଏୟାର୍‌ ଇଣ୍ଡିଆରେ ତାହା ହୋଇ ନାହିଁ।

ସମ୍ବନ୍ଧିତ ଖବର