ନୂଆଦିଲ୍ଲୀ: ୧୮ ବର୍ଷରୁ କମ୍ ବୟସର ପତ୍ନୀଙ୍କ ସହିତ ଶାରୀରିକ ସଂପର୍କକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯିବ ବୋଲି ସୁପ୍ରିମ୍ କୋର୍ଟ ଗତକାଲି ଐତିହାସିକ ରାୟ ଦେବାପରେ ନାବାଳିକା ଯୌନ ଶୋଷଣ ବିରୋଧରେ ଚାଲିଥିବା ସଂଗ୍ରାମକୁ ଏହା ଯଥେଷ୍ଟ ବଳ ଦେବ ବୋଲି କୁହାଯାଉଛି। ୧୫ରୁ ୧୮ ବର୍ଷ ବୟସର ନାବାଳିକା ପତ୍ନୀଙ୍କ ସହିତ ଶାରୀରିକ ସଂପର୍କକୁ ଦୁଷ୍କର୍ମ ଶ୍ରେଣୀରୁ ବାହାରେ ରଖାଯିବ ନାହିଁ ଏବଂ ଏହାକୁ ଦୁଷ୍କର୍ମ ଭାବେ ହିଁ ଗ୍ରହଣ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିବା ସହ ଏ ବାବଦରେ ପୂର୍ବରୁ ଥିବା ଆଇପିସିର ଧାରା ୩୭୫ (୨)କୁ କୋର୍ଟ ଖାରଜ କରିଦେଇଛନ୍ତି। ତେବେ ବାଲ୍ୟ ବିବାହ ନାବାଳିକା ଯୌନ ଶୋଷଣର ଅନ୍ୟତମ ମୁଖ୍ୟ କାରଣ ଏବଂ ବଡ଼ ସାମାଜିକ କଳଙ୍କ ହୋଇଥିବାରୁ ଏହାକୁ ରୋକିବା ଦିଗରେ କଠୋର ପଦକ୍ଷେପ ସରକାର ଗ୍ରହଣ କରିବାକୁ ବିଭିନ୍ନ ମହଲ ମତ ଦେଇଛନ୍ତି। ୨୦୦୧ରୁ ଦେଶରେ ବାଲ୍ୟ ବିବାହ ଯଥେଷ୍ଟ କମିଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଥିଲେ ମଧ୍ୟ ଏବେ ଦେଶର ଅଧିକାଂଶ ଅଂଚଳରେ ବାଲ୍ୟ ବିବାହ ଦେଖିବାକୁ ମିଳିଛି। ପ୍ରତି ୩ଟି ବିବାହରୁ ଗୋଟିଏରେ ବଧୂର ବୟସ ୧୮ରୁ କମ୍ ବୋଲି ଜଣାପଡ଼ିଛି। ୨୦୧୧ ଜନଗଣନା ରିପୋର୍ଟରୁ ଜଣାପଡ଼ିଛି ଯେ ୨୬.୮ ପ୍ରତିଶତ ଯୁବତୀ ୧୮ ବର୍ଷ ହେବା ପୂର୍ବରୁ ବିବାହ କରିଛନ୍ତି। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ବାଲ୍ୟ ବିବାହ ପ୍ରଥା ଭାରତର ଅନ୍ୟତମ ବଡ଼ ସାମାଜିକ କଳଙ୍କ ଭାବେ ରହିଛି । ନିକଟ ଭବିଷ୍ୟତରେ ଏହା ବନ୍ଦ ହେଲାଭଳି କୌଣସି ଆଶା ଦିଶୁନାହିଁ । ପର୍ଯ୍ୟାପ୍ତ ସଚେତନତା ଏବଂ କଠୋର ଆଇନର ଅଭାବ ଏଥିପାଇଁ ମୁଖ୍ୟତଃ ଦାୟୀ ବୋଲି କୁହାଯାଇଛି । ସାମାଜିକ ଭାବେ ଏହା ଏକ ଗ୍ରହଣୀୟ ପ୍ରଥା ହୋଇଯାଇଛି ବୋଲି ଅନେକ କ୍ଷେତ୍ରରେ ସରକାର ସ୍ୱୀକାର କରିଥିବା ବେଳେ ଏଭଳି ଯୁକ୍ତିକୁ ସୁପ୍ରିମ୍ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।
ବାଲ୍ୟ ବିବାହ ରୋକିବାରେ ସରକାର ଅସଫଳ
ନାବାଳିକାଙ୍କୁ ଯୌନ ଶୋଷଣ ମାମଲା
/sambad/media/post_attachments/wp-content/uploads/2017/10/download-23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)