ବିଶ୍ୱବିଦ୍ୟାଳୟରେ କୁକର୍ମ: ମହିଳା ପ୍ରଫେସର ଗିରଫ

ଚେନ୍ନାଇ: ତାମିଲନାଡ଼ୁର ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟର ଉପର ଅଧିକାରୀଙ୍କ କାମବାସନା ଚରତାର୍ଥ କରିବା ପାଇଁ କଲେଜ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଓ ଭୟ ଦେଖାଇ ପଠାଉଥିବା ପ୍ରଫେସର ନିର୍ମଳା ଦେବୀଙ୍କୁ ପୁଲିସ ଗିରଫ କରିଛି। ଏ ବାବଦ କେତେକ ବଳିଷ୍ଠ ପ୍ରମାଣ ମିଳିବା ପରେ ଆରୁପ୍ପୁ କୋଟ୍ଟାଇ ମହାବିଦ୍ୟାଳୟର ଏହି ପ୍ରଫେସରଙ୍କୁ ଗତକାଲି ପୁଲିସ ତାଙ୍କ ଘରୁ ଗିରଫ କରିଛି। ଏହି ମାମଲାରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ୧୫ ଦିନ ପାଇଁ ନିଲମ୍ବିତ କରିଥିବା ଜଣାପଡ଼ିଛି। ପୁଲିସର ଦୁଇଟି ସ୍ୱତନ୍ତ୍ର ଟିମ୍‌ ମାମଲାର ଖୋଳତାଡ଼ କରିବା ସହ ପୀଡ଼ିତା ଛାତ୍ରୀମାନଙ୍କ ବୟାନ ରେକର୍ଡ ପାଇଁ ପ୍ରୟାସ ଚଳାଇଛନ୍ତି।
ତାମିଲନାଡ଼ୁ ରାଜ୍ୟପାଳ ବନଓ୍ଵାରିଲାଲ ପୁରୋହିତ ଏହି ମାମଲାର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଆର୍‌ ସାନ୍ତାନମ୍‌ଙ୍କୁ ନିଯୁକ୍ତି ଦେଇଛନ୍ତି। ନିର୍ମଳା ଦେବୀ କଲେଜର ବହୁ ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର ଅଧିକାରୀମାନଙ୍କ କାମବାସନା ମେଣ୍ଟାଇବାକୁ ପଠାଉଥିବା ଏକ ଅଡିଓ କ୍ଲିପ୍‌ରୁ ଜଣାପଡ଼ିବା ପରେ ଏହା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ୪୬ ବର୍ଷୀୟା ଏହି ପ୍ରଫେସର ରାଜ୍ୟପାଳଙ୍କୁ ମଧ୍ୟ ଭଲଭାବେ ଜାଣିଥିବା କହି ବିବାଦ ସୃଷ୍ଟି କରିଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ସେ ଏହି ମହିଳାଙ୍କୁ ଆଦୌ ଜାଣିନାହାନ୍ତି। ମାମଲାର ତଦନ୍ତ ପରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟପାଳ କହିଛନ୍ତି। ବିଶ୍ୱବିଦ୍ୟାଳୟର ଲମ୍ପଟ ଅଧିକାରୀଙ୍କୁ ଠାବ କରିବା ପାଇଁ ପ୍ରୟାସ ଚାଲିଛି। ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ସହିତ ପରୀକ୍ଷାରେ ଭଲ ମାର୍କ ରଖିବା ପ୍ରତିଶ୍ରୁତି ଦେଇ ସେ ଏହି ଅନୈତିକ କାର୍ଯ୍ୟରେ ଲଗାଉଥିଲେ।
ଗଣିତ ବିଭାଗର ଏହି ପ୍ରଫେସରଙ୍କ ବିରୋଧରେ ପୁଲିସ ହାସଲ କରିଥିବା ପ୍ରମାଣକୁ ଏବେ ଅନୁଧ୍ୟାନ କରାଯାଉଛି। କେତେକ ଛାତ୍ରୀ ଏ ବାବଦରେ ମାସକ ତଳୁ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ବୋଲି ଜଣାପଡ଼ିଛି। ମାମଲା ନେଇ କେତେକ ଶିକ୍ଷକ ଓ ଛାତ୍ରୀଙ୍କ ବାର୍ତ୍ତାଳାପ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କଲେଜ କର୍ତ୍ତୃପକ୍ଷ ତତ୍ପର ହୋଇଉଠିଥିଲେ ଏବଂ ନିର୍ମଳା ଦେବୀଙ୍କ ବିରୋଧରେ କଲେଜ ସଂପାଦକ ଏତଲା ଦାଏର କରିଥିଲେ।

ସମ୍ବନ୍ଧିତ ଖବର