ଯୌନ ନିର୍ଯାତନା ମାମଲା :ତଦନ୍ତ ପ୍ରକ୍ରିୟାରୁ ଓହରିଲେ ପୀଡିତା

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ମାମଲା ଆଉ ଏକ ନୂଆ ମୋଡ଼ ନେଇଛି। ଅଭିଯୋଗର ତଦନ୍ତ କରୁଥିବା ତିନି ଜଣିଆ ଆଭ୍ୟନ୍ତରୀଣ କମିଟି ଆଗରେ ହାଜର ହେବେ ନାହିଁ ବୋଲି ଆଜି ପୀଡିତା ମହିଳା କୋର୍ଟକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ପୀଡିତା ମହିଳା ଅଭିଯୋଗ କରିଛନ୍ତି, ଆଭ୍ୟନ୍ତରୀଣ ତଦନ୍ତ କମିଟରେ ଭୟର ବାତାବରଣ ରହିଛି। ତଦନ୍ତ କମିଟିରେ ତାଙ୍କ ପକ୍ଷରୁ କୌଣସି ଆଡଭୋକେଟ୍‌ଙ୍କୁ ନେବା ପାଇଁ ଅନୁମତି ଦିଆଯାଉନଥିବାରୁ ସେ ଆତଙ୍କିତ। ତଦନ୍ତ ବେଳେ କୌଣସି ପ୍ରକାର ଅଡିଓ କିମ୍ବା ଭିଡିଓ ରେକର୍ଡିଂ କରାଯାଉନାହିଁ। ଏତଦ୍‌ ବ୍ୟତୀତ ତାଙ୍କୁ ତଦନ୍ତର ପ୍ରକ୍ରିୟା ବିଷୟରେ ମଧ୍ୟ କିଛି ଅବଗତ କରାଯାଇ ନାହିଁ। ତଦନ୍ତ କମିଟି ଆଗରେ ଏପ୍ରିଲ ୨୬ ଏବଂ ଏପ୍ରିଲ ୨୯ରେ ସେ ରଖିଥିବା ସାକ୍ଷ୍ୟର କୌଣସି ନକଲ ତାଙ୍କୁ ଦିଆଯାଇନାହିଁ। ତେଣୁ ସେ ଆଉ ଆଭ୍ୟନ୍ତରୀଣ କମିଟିର ତଦନ୍ତ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ନାହିଁ ବୋଲି ପୀଡିତ ମହିଳା ଜଣକ ସ୍ପଷ୍ଟ କରିଛନ୍ତି। ତଦନ୍ତ ପ୍ରକ୍ରିୟାରେ ବିଶାଖା ନିୟମାବଳିର ମଧ୍ୟ ଅନୁସରଣ କରାଯାଉନାହିଁ ବୋଲି ପୀଡିତା ଅଭିଯୋଗ କରି ତଦନ୍ତ କମିଟିର ମୁଖ୍ୟ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେଙ୍କୁ ଏକ ପତ୍ର ଜରିଆରେ ସୂଚନା ଦେଇଛନ୍ତି। ପିଡୀତ ଏହା ମଧ୍ୟ କହିଛନ୍ତି, ଯେହେତୁ ପ୍ରଧାନ ବିଚାରପତିଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି ତେଣୁ ତାଙ୍କୁ ନ୍ୟାୟ ଦିଆଯିବନାହିଁ ବୋଲି ସେ ଅନୁଭବ କରୁଛନ୍ତି। ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମ କୋର୍ଟର ଏକ ତିନି ଜଣିଆ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଛି। ଏଥିରେ ଜଷ୍ଟିସ୍‌ ବୋବ୍‌ଡେଙ୍କ ବ୍ୟତୀତ ଇନ୍ଦୁ ମାଲ‌େହାତ୍ରା ଏବଂ ଇନ୍ଦିରା ବାନାର୍ଜୀ ଅଛନ୍ତି।

ସମ୍ବନ୍ଧିତ ଖବର