ନୂଆଦିଲ୍ଲୀ: ମାଲାୟଲମ୍ ଫିଲ୍ମ ଇଣ୍ଡଷ୍ଟ୍ରି (ମୋଲିଉଡ୍)ରେ ମହିଳା କଳାକାର ଯୌନ ନିର୍ଯାତନାର ଶିକାର ହେଉଥିବା ନ୍ୟାୟିକ କମିଟି ରିପୋର୍ଟରୁ ଜଣାପଡ଼ିଛି। ଜଷ୍ଟିସ ହେମା କମିଟି ମୋଲିଉଡ୍ରେ ମହିଳାଙ୍କ ସହ ଘଟୁଥିବା ଘଟଣା ସଂକ୍ରାନ୍ତରେ କେତୋଟି ଗୁରୁତ୍ବପୂର୍ଣ୍ଣ ପର୍ଦ୍ଦାଫାସ କରିଛି। ଫଳରେ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା ଏବଂ ନିର୍ଯାତନା ଘଟଣାକୁ ନେଇ ପ୍ରଶ୍ନ ଉଠିଛି। କେରଳରେ ଏକ ଚଳନ୍ତା ଗାଡ଼ିରେ ଜଣେ ମହିଳା ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାକୁ ବିରୋଧ କରି ଡବ୍ଲ୍ୟୁସିସି (ଓମେନ୍ ଇନ୍ ସିନେମା କଲେକ୍ଟିଭ୍) ଦ୍ବାରା ଦାଖଲ ହୋଇଥିବା ପିଟିସନ୍ ଆଧାରରେ ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଥିଲା। ଅଭିନେତା ଦିଲୀପ ଏବେ ଏହି ମାମଲାରେ ବିଚାରଣ ସାମ୍ନା କରୁଛନ୍ତି।
ମୋଲିଉଡ୍ରେ ମହିଳାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଏହି କମିଟି ତର୍ଜମା କରିଛି। ତେବେ କମିଟିର ତଦନ୍ତରୁ ଏହା ଜଣାପଡ଼ିଛି ଯେ ଆରମ୍ଭରୁ ହିଁ ମହିଳା ଅଭିନେତ୍ରୀଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି। କମିଟି ରିପୋର୍ଟରେ ଏହା କୁହାଯାଇଛି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ମହିଳାଙ୍କ ପାଇଁ ଟଏଲେଟ୍ ସୁବିଧା ନାହିଁ କି ପୋଷାକ ବଦଳାଇବା ପାଇଁ ସୁରକ୍ଷିତ ଗୃହ ନାହିଁ। କାମ ପାଇଁ ଯେତେବେଳେ ହୋଟେଲରେ ରହିବାକୁ ପଡ଼େ ସେ ସମୟରେ ସିନେମାରେ କାମ କରୁଥିବା ପୁରୁଷମାନେ ଜାଣିଶୁଣି ନିଶାଶକ୍ତ ଅବସ୍ଥାରେ ଆସି ମହିଳାଙ୍କ ରୁମ୍ କବାଟ ବାଡ଼େଇଥାନ୍ତି। ସେମାନଙ୍କୁ ଅନେକ ସମୟରେ ଯୌନ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି।