ଅନ୍‌ଲାଇନ୍‌ କ୍ଲାସ୍‌ରେ ବି‌ ଯୌନ ଉତ୍ପୀଡ଼ନ

ଷ୍ଟାଲିନ୍‌ ସରକାରଙ୍କ କଠୋର ପଦକ୍ଷେପ

ନୂଆଦିଲ୍ଲୀ: କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ୍‌ ପାଠପଢ଼ାରେ ବି ଛାତ୍ରୀମାନେ ଯୌନ ଉତ୍ପୀଡ଼ନର ଶିକାର ହେବାରୁ ସଂପୂର୍ଣ୍ଣ ସୁରକ୍ଷିତ ରହିପାରି ନାହାନ୍ତି। ତାମିଲନାଡ଼ୁର କେତେକ ପ୍ରତିଷ୍ଠିତ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅନ୍‌ଲାଇନ୍‌ କ୍ଲାସ୍‌ ସମୟରେ ଅଶାଳୀନ ବାର୍ତ୍ତା ପଠାଇବା, ଅଶ୍ଳୀଳ ଚଳଚ୍ଚିତ୍ରର ଲିଙ୍କ୍‌ ପଠାଇବା ଆଦି ମାମଲା ସାମ୍ନାକୁ ଆସିଛି। ଜଣେ ଶିକ୍ଷକ ଏହି ମାମଲାରେ ଗିରଫ ହୋଇଥିବା ବେଳେ ଆଉ କେତେକ ଶିକ୍ଷକଙ୍କ ଆପତ୍ତିଜନକ କାର୍ଯ୍ୟ ନେଇ ତଦନ୍ତ ଜାରି ରହିଛି। ଏମ୍‌ କେ ଷ୍ଟାଲିନ ସରକାର ଏହାକୁ ରୋକିବା ପାଇଁ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍‌ଲାଇନ୍‌ କ୍ଲାସ୍‌ ଉପରେ ନଜର ରଖିବା ପାଇଁ ଏହାର ରେକର୍ଡିଂ କରାଯିବା ସହ ଶିକ୍ଷକଙ୍କ ଆଚରଣ ତଦାରଖ କରିବା ନିମନ୍ତେ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ତୁରନ୍ତ ଅଭିଯୋଗ ଜଣାଇବା ପାଇଁ ହଟ୍‌ଲାଇନ୍‌ ନମ୍ବର ବ୍ୟବସ୍ଥା ମଧ୍ୟ ହୋଇଛି।

ଅନ୍‌ଲାଇନ୍‌ କ୍ଲାସ୍‌ରେ କିଭଳି ଯୌନ ଉତ୍ପୀଡ଼ନ ଚାଲିଛି ସେ ବାବଦରେ କେତେକ ଛାତ୍ରୀ ଗଣମାଧ୍ୟମରେ ମୁହଁ ଖୋଲିବା ପରେ ଦୋଷୀ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲ ଦାବି କରିଛନ୍ତି। ଜଣେ ଶିକ୍ଷକ ଏକ ତଉଲିଆ ପିନ୍ଧି ଅନ୍‌ଲାଇନ୍‌ କ୍ଲାସ୍‌ କରିବା ସହ ଛାତ୍ରୀମାନଙ୍କୁ ଅଶ୍ଳୀଳ ଫିଲ୍ମ୍‌ର ଲିଙ୍କ୍‌ ପଠାଉଥିବା ଜଣାପଡ଼ିବା ପରେ ଏହା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିଲା। ଅନେକ ଛାତ୍ର ମଧ୍ୟ ଅନ୍‌ଲାଇନ୍‌ କ୍ଲାସ୍‌ର ସୁଯୋଗ ନେଇ ଛାତ୍ରୀମାନଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିବା ନଜରକୁ ଆସିବା ପରେ ଏହାର ଖୋଳତାଡ଼ ହୋଇଥିଲା ଏବଂ ତାହା ସତ୍ୟ ପ୍ରମାଣିତ ହୋଇଛି । ଦେଶବ୍ୟାପୀ ଏବେ ଏଭଳି ସ୍ଥିତି ଦେଖିବାକୁ ମିଳିଥିବାରୁ ଅଭିଭାବକଙ୍କ ଚିନ୍ତା ବଢ଼ିଛି।

ସମ୍ବନ୍ଧିତ ଖବର