ଖାକିରେ ଦାଗ! ଭିଜିଲାନ୍ସ ଯୁଗ୍ମ ନିର୍ଦ୍ଦେଶକଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ଶିକାର ହେବା ପରେ ନ୍ୟାୟ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା ଏସ୍‌ପି

ଚେନ୍ନାଇ: ତାମିଲନାଡ଼ୁର ଭିଜିଲାନ୍ସ ଓ ଆଣ୍ଟି- କରପସନ୍‌ ନିର୍ଦ୍ଦେଶାଳୟ (ଡିଭିଏସି)ରେ ଏସ୍‌ପି ଭାବେ କାର୍ଯ୍ୟରତ ଥିବା ଜନୈକା ମହିଳା ଆଇପିଏସ୍‌ ଅଧିକାରୀ ସେହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ତାଙ୍କ ଉପରିସ୍ଥ ଯୁଗ୍ମ ନିର୍ଦ୍ଦେଶକ ଏସ୍‌ ମୁରୁଗାନ୍‌ଙ୍କ ବିରୋଧରେ ଏକ ଯୌନ ଉତ୍ପୀଡ଼ନ ମାମଲା ମାଡ୍ରାସ ହାଇକୋର୍ଟରେ ଆଗତ କରିଥିବା ଜାଣିବାକୁ ମିଳିଛି। ମହିଳା ଏସ୍‌ପିଙ୍କ ପକ୍ଷରୁ ଆଗତ ଏହି ଯୌନ ଉତ୍ପୀଡ଼ନ ମାମଲାକୁ ମାଡ୍ରାସ୍‌ ହାଇକୋର୍ଟର ବିଚାରପତି ଶତ୍ରୁଘ୍ନ ପୂଜାହାରୀ ବିଚାର ପାଇଁ ଗ୍ରହଣ କରିବା ସହ ଆସନ୍ତା ୧୧ ତାରିଖ ସୁଦ୍ଧା ଏହି ମାମଲାରେ ନିଜ ଉତ୍ତର ରଖିବା ପାଇଁ ଭିଜିଲାନ୍ସ ଓ ଆଣ୍ଟି- କରପସନ୍‌ ନିର୍ଦ୍ଦେଶାଳୟ (ଡିଭିଏସି)ର ନିର୍ଦ୍ଦେଶକଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଭିଜିଲାନ୍ସ ଓ ଆଣ୍ଟି- କରପସନ୍‌ ନିର୍ଦ୍ଦେଶାଳୟ (ଡିଭିଏସି)ରେ ଏସ୍‌ପି ଭାବେ କାର୍ଯ୍ୟରତ ଥିବା ଜନୈକା ମହିଳା ଆଇପିଏସ୍‌ ଅଧିକାରୀଙ୍କୁ ସେହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ତାଙ୍କ ଉପରିସ୍ଥ ଯୁଗ୍ମ ନିର୍ଦ୍ଦେଶକ ଏସ୍‌ ମୁରୁଗାନ୍‌ କ୍ରମାଗତ ଭାବେ ଯୌନ ଉତ୍ପୀଡ଼ନ କରି ଆସୁଥିଲେ। କ୍ରମେ ଏହା ଅସହ୍ୟ ହେବାରୁ ଶେଷରେ ସଂପୃକ୍ତା ମହିଳା ଏସ୍‌ପି ଗତ ଅଗଷ୍ଟ ୪ ତାରିଖରେ ନିର୍ଦ୍ଦେଶକଙ୍କୁ ଦେଖା କରିବା ସହ ଏହି ଘଟଣା ସଂପର୍କରେ ଅଭିଯୋଗ କରିଥିଲେ। ତେବେ, ଏହି ମାମଲାରେ ନିର୍ଦ୍ଦେଶକ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଏହାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଜାଣିବା ପରେ ପୀଡ଼ିତା ମହିଳା ଏସ୍‌ପି ଏହି ମାମଲା ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ମାମଲା ଆଗତ କରିଥିଲେ।

ସମ୍ବନ୍ଧିତ ଖବର