ଚଣ୍ଡିଗଡ଼: ଦୁଷ୍କର୍ମ ଏବଂ ଯୌନ ଉତ୍ପୀଡ଼ନ ମାମଲାରେ ଦୋଷୀ ସାବ୍ୟସ୍ତମାନଙ୍କର ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ଓ ଆର୍ମ ଲାଇସେନ୍ସ୍ ରଦ୍ଦ କରାଯିବ ଏବଂ ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ଶାରୀରିକ ଅକ୍ଷମତା ଭତ୍ତା ମିଳିବ ନାହିଁ ବୋଲି ଗୁରୁବାର ଦିନ ହରିୟାଣା ସରକାର ଘୋଷଣା କରିଛନ୍ତି।
ସେମାନେ କେବଳ ଫେୟାର୍ ପ୍ରାଇସ୍ ସପ୍ରୁ ରେସନ୍ କିଣି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟାର ପଞ୍ଚକୁଲା ଠାରେ ମହିଳା ସଶକ୍ତ କରଣ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି। ୧୨ ବର୍ଷ ବୟସରୁ କମ୍ ଝିଅମାନଙ୍କର ଦୁଷ୍କର୍ମ ଓ ହତ୍ୟାକାରୀଙ୍କ ନିମନ୍ତେ ସରକାର ମୃତ୍ୟୁଦଣ୍ଡ ବିଧାନ କରିବା ପରେ ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଅଦାଲତ ମାମଲାରେ ରାୟ ଶୁଣାଇବା ଯାଏଁ ଦୋଷୀ ସାବ୍ୟସ୍ତଙ୍କ ପାଇଁ ସମସ୍ତ ସେବା ଯୋଗାଣ ବନ୍ଦ ରହିବ।
ସ୍ୱାଧୀନତା ଦିବସ କିଂବା ଅଗଷ୍ଟ ୨୬ ତାରିଖ ରକ୍ଷା ବନ୍ଧନ ଦିନ ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଏକ କମ୍ପ୍ରେହେନ୍ସିଭ୍ ସ୍କିମ୍ ଘୋଷଣା କରାଯିବ ବୋଲି ଖଟ୍ଟାର କହିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ଯୋଗାଇ ଦେଇଥିବା ଓକିଲଙ୍କ ଛଡ଼ା ଯଦି ଜଣେ ଦୁଷ୍କର୍ମ ପୀଡ଼ିତା ଚାହିଁବେ ତାଙ୍କ ପସନ୍ଦର ଓକିଲ ନିଯୁକ୍ତି କରିପାରିବେ। ସେଥିପାଇଁ ଫିଜ୍ ବାବଦରେ ତାଙ୍କୁ ୨୨ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ।
ଦୁଷ୍କର୍ମ ଓ ଇବ୍-ଟିଜିଙ୍ଗ୍ ମାମଲାର ନିର୍ବିଘ୍ନ ତଦନ୍ତ ପାଇଁ ସବୁ ଥାନାରେ ବ୍ୟବସ୍ଥା ଯୋଗାଇ ଦିଆଯିବ।