ନୂଆଦିଲ୍ଲୀ: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ କାମ ବଦଳରେ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଛି। ଯଦି ଅଭିନେତ୍ରୀ ଏଥିରେ ରାଜି ହୁଅନ୍ତି ତେବେ ତାଙ୍କୁ ଏକ 'କୋଡ୍ ନାମ' ଦିଆଯାଏ, ଏହି କୋଡ୍ ନାମ ସହିତ ଇଣ୍ଡଷ୍ଟ୍ରିର 'ମାଫିଆ' ତାଙ୍କୁ କାମ ଦେଇଥାଏ କିମ୍ବା ଇଣ୍ଡଷ୍ଟ୍ରିର ଅନ୍ୟ ଲୋକଙ୍କୁ ତାଙ୍କ ପାଇଁ କାମର ସୁପାରିଶ କରିଥାଏ।

Advertisment

ବାସ୍ତବରେ, ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପରେ ମହିଳା କଳାକାରଙ୍କ ନିର୍ଯ୍ୟାତନା ସମ୍ପର୍କରେ ଗଠିତ ଅବସରପ୍ରାପ୍ତ ବିଚାରପତି ହେମା କମିଟିର ରିପୋର୍ଟରେ ଏହି ତଥ୍ୟ ମଙ୍ଗଳବାର ସାମ୍ନାକୁ ଆସିଛି।

କମିଟିର ରିପୋର୍ଟ ଫିଲ୍ମଶିଳ୍ପରେ ମହିଳା କଳାକାରଙ୍କ ଯୌନ ଉତ୍ପୀଡ଼ନ ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି। ୨୯୫ ପୃଷ୍ଠାର ରିପୋର୍ଟରେ ଦର୍ଶାଯାଇଛି ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିର୍ମାତା, ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ଏକ ଗୋଷ୍ଠୀ ଅଛି। ଯାହା ଉପରେ ସେମାନଙ୍କର ଏକଚାଟିଆ ନିୟନ୍ତ୍ରଣ ରହିଛି।

ଏହା 'ମାଫିଆ' ଭାବରେ ଜଣାଶୁଣା, ଏହି ମାଫିଆ ହିଁ ଇଣ୍ଡଷ୍ଟ୍ରିରେ କେଉଁ ଅଭିନେତ୍ରୀ କାମ କରିବେ ତାହା ସ୍ଥିର କରନ୍ତି? କିଏ କାମ କରିବେ ନାହିଁ, କାହାର କ୍ୟାରିୟର ନଷ୍ଟ କରିବାକୁ ଏବଂ କାହାକୁ ଉପରକୁ ଉଠିବାକୁ ଦିଆଯିବ ତାହା ସ୍ଥିର କରିଥାନ୍ତି।

ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ମାଲାୟଲମ ଫିଲ୍ମଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନେ ଶାରୀରିକ ଭାବରେ ଶୋଷିତ ହେଉଛନ୍ତି। ଯେଉଁ ଅଭିନେତ୍ରୀ ଆପୋଷ ବୁଝାମଣା କରୁଛନ୍ତି ତାଙ୍କୁ କାମ ଦିଆଯାଉଛି ଏବଂ ଯିଏ ଯୌନ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି ସେ କାମରୁ ବଞ୍ଚିତ ହେଉଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ସେଟ୍‌ରେ ନିର୍ମାତା, ନିର୍ଦ୍ଦେଶନା ଏବଂ ଅଭିନୟ ସହିତ ଜଡିତ ପୁରୁଷ କଳାକାରମାନେ ମଦ୍ୟପାନ କରୁଥିବା ସମୟରେ ମହିଳା କଳାକାରଙ୍କ କୋଠରୀରେ ପ୍ରବେଶ କରନ୍ତି ଏବଂ ରାତିରେ ସେମାନଙ୍କ କୋଠରୀ କବାଟକୁ ଧକ୍କା ଦିଅନ୍ତି। କାମ ସମୟରେ ମଧ୍ୟ ମହିଳାମାନଙ୍କ ମଧ୍ୟରେ ଭୟର ବାତାବରଣ ରହିଥାଏ।

ଜଷ୍ଟିସ୍ ହେମା କମିଟିର ରିପୋର୍ଟରେ ଦର୍ଶାଯାଇଛି ଯେ ମହିଳା କଳାକାରମାନେ ସେମାନଙ୍କ ପାରିଶ୍ରମିକକୁ ନେଇ ଭେଦଭାବା ଶିକାର ହେଉଛନ୍ତି। ଏହି ସମୟରେ, କେବଳ ଅଳ୍ପ କିଛି ବଡ ଅଭିନେତ୍ରୀଙ୍କୁ ଲିଖିତ ଚୁକ୍ତିନାମା ଦିଆଯାଉଛି। ଅନ୍ୟ ଅଭିନେତ୍ରୀମାନେ ଯୌନ ସମ୍ପର୍କ ନେଇ ଆପୋଷ ବୁଝାମଣା ନ କଲେ ତ‌ାଙ୍କର ପାରିଶ୍ରମିକ ମଧ୍ୟ ବନ୍ଦ କରାଯାଇଥାଏ। ଏହା ବ୍ୟତୀତ ମହିଳା ଏବଂ ଜୁନିଅର କଳାକାରମାନଙ୍କୁ ମଇଳା ଶୌଚାଳୟ ବ୍ୟବହାର କରିବାକୁ ପଡିଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।