ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛି ବୋଲି କହିଲେ ଶେହବାଜ୍, ସୁଧୁରିବ କି ଭାରତ-ପାକିସ୍ତାନର ତିକ୍ତ ସଂପର୍କ?

ଇସଲାମାବାଦ: ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛି। ସେଥିପାଇଁ କଶ୍ମୀର ପ୍ରସଙ୍ଗର ସମାଧାନ ହେବା ଜରୁରୀ। ଆଜି ପାକିସ୍ତାନ ମୁସଲିମ ଲିଗ୍(ଏନ)ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ଶେହବାଜ୍ ଶରିଫ୍ ଏଭଳି କହିଛନ୍ତି। ଏବେ ପାକିସ୍ତାନରେ ଇମ୍ରାନ୍‌ ସରକାରର ପତନ ଘଟିଛି। ଅନାସ୍ଥା ଭୋଟ୍‌ରେ ଇମ୍ରାନ୍‌ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି। ଇମ୍ରାନଙ୍କୁ ବହିଷ୍କୃତ କରାଯିବା ପରେ ଆସନ୍ତାକାଲି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ବଛାଯିବ। ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ୍(ଏନ)ରୁ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବାବେଳେ ଶାହ ମହମ୍ମଦ କୁରେଶୀ ଇମ୍ରାନ ଖାନଙ୍କ ଦଳ ପିଟିଆଇରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପୂର୍ବରୁ ଶେହବାଜ ଶରିଫ କହିଛନ୍ତି ଯେ ସେ ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ହେଲେ କଶ୍ମୀର ସମସ୍ୟାର ସମାଧାନ ବିନା ଏହା ସମ୍ଭବ ନୁହେଁ। ଇସଲାମାବାଦରେ ଜିଓ ନ୍ୟୁଜକୁ ସାକ୍ଷାତକାର ଦେଇ ଶେହବାଜ ଶରିଫ କହିଛନ୍ତି, କ୍ଷମତାକୁ ଆସିବା ପରେ ତାଙ୍କର ପ୍ରଥମ ପ୍ରାଥମିକତା ହେଉଛି ଜାତୀୟ ସୌହାର୍ଦ୍ଦ୍ୟ ଏବଂ ବିରୋଧୀଦଳର ନେତାଙ୍କ ପରାମର୍ଶ କ୍ରମେ ଏକ ନୂତନ କ୍ୟାବିନେଟ ଗଠନ କରିବା। ଏହା ପରେ ସେ ଦେଶର ଅର୍ଥନୀତିରେ ଉନ୍ନତି ଆଣି ଲୋକଙ୍କୁ ଚିନ୍ତାମୁକ୍ତ କରିବାକୁ ଚେଷ୍ଟା କରିବେ, ଯାହା ଦ୍ବାରା ଦେଶରେ ଏକ ନୂତନ ଯୁଗ ଆରମ୍ଭ ହେବ ଏବଂ ପାରସ୍ପରିକ ସମ୍ମାନ ବୃଦ୍ଧି ପାଇବ।

ତେବେ ନିର୍ବାଚନ ପାଇଁ ଶେହାବାଜ ଆଜି ଅପରାହ୍ନ ୪ଟାରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଶାହ ମେହମୁଦ କୁରେଶୀ ମଧ୍ୟ ତାଙ୍କ ନାମାଙ୍କନପତ୍ର ଦାଖଲ କରିସାରିଥିବା ଜଣାପଡ଼ିଛି। ଦୁଇ ଦଳ ନିଜ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛି ସାରିଥିବା ବେଳେ ଆସନ୍ତାକାଲି ଅପରାହ୍ନ ୨ଟାରେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ କିଏ ହେବ? ତାହା ଜଣାପଡ଼ିବ।

ସମ୍ବନ୍ଧିତ ଖବର