ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବ ଚିନ୍ତା ନ କରି କାମରେ ଲାଗ, କର୍ମୀଙ୍କୁ ପରାମର୍ଶ ଦେଲେ ଶାହା

କୋଲକାତା: ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି କିଭଳି ଜିତାପଟ ହାସଲ କରିବ ସେ ନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବେ ଲାଗିପଡିଛନ୍ତି | ୪ ଦିନ ତଳେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଦଳୀୟ କର୍ମୀଙ୍କୁ ଭେଟିବା ସହ ସ୍ଥାନୀୟ ନେତାମାନଙ୍କ ସହ ରୁଦ୍ଧ ଦ୍ୱାର ବୈଠକ ମଧ୍ୟ କରିଛନ୍ତି | ଏହି ବୈଠକରେ କିଭଳି ବିଜେପି ଅଧିକ ସଂଖ୍ୟାରେ ବୁଥରେ ପହଂଚିପାରିବ ସେ ନେଇ କାମରେ ଲାଗିପଡ଼ିବାକୁ ଶାହା ପରାମର୍ଶ ଦେଇଛନ୍ତି |

ପଶ୍ଚିମବଙ୍ଗର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ତୃଣମୂଳ ସ୍ତରରେ କିଭଳି ବିଜେପି ପହଂଚିବ ସେ ନେଇ ପ୍ରୟାସ ଆରମ୍ଭ କରିବାକୁ ଶାହା କହିଛନ୍ତି | ଶାହା ୨୦୧୭ ମସିହାରେ ହୋଇଥିବା ଉତ୍ତରପ୍ରଦେଶ ନିର୍ଵାଚନର ଉଦାହରଣ ଦେଇ କର୍ମୀଙ୍କୁ କହିଥିଲେ ଯେ ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରେ ବିଜେପି ସେଠାରେ ଜିତିବାରେ ସକ୍ଷମ ହୋଇଥିଲା | ତୃଣମୂଳ କଂଗ୍ରେସ ଓ ମମତା ବାନାର୍ଜୀଙ୍କ ପ୍ରତି ଥିବା ଲୋକଙ୍କ ଅସନ୍ତୋଷ ହିଁ ବିଜେପି ବିଜୟରେ ସହାୟକ ହେବ ବୋଲି ଶାହା ଉପସ୍ଥିତ ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ |

ରାଜ୍ୟରେ ଥିବା ୭୯ ହଜାର ବୁଥ ମଧ୍ୟରୁ ୬୦ ହଜାର ବୁଥରେ ଏବେ ବିଜେପି ନିଜକୁ ପହଂଚାଇଥିବାବେଳେ କିଭଳି ଅଧିକରୁ ଅଧିକ ମହିଳାଙ୍କୁ ଏଥିରେ ସାମିଲ କରାଯାଇପାରିବ ଶାହା ସେ ଦିଗରେ ଗୁରୁତ୍ୱ ଦେଇଥିଲେ | ଆଉ ପଶ୍ଚିମବଙ୍ଗରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ସେ ନେଇ ଚିନ୍ତା ନ କରି ଦଳକୁ କିଭଳି ତୃଣମୂଳ ସ୍ତରରେ ପହଞ୍ଚାଇହେବ ସେ ଦିଗରେ ଚେଷ୍ଟା କରିବାକୁ ଶାହା ନେତାଙ୍କୁ ପରାମର୍ଶ ଦେଇଛନ୍ତି | ସୂଚନା ଥାଉ କି ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୧୮ଟି ଆସନ ଜିତିଥିଲା | ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ଥିବା ୨୯୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ |

ସମ୍ବନ୍ଧିତ ଖବର