ଅର୍ଜୁନଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ: ଶାହା

କୋଲକାତା: ପଶ୍ଚିମବଙ୍ଗର ଉତ୍ତର କୋଲକାତାର କାଶୀପୁର ଅଞ୍ଚଳରେ ଶୁକ୍ରବାର ସକାଳେ ଭାରତୀୟ ଜନତା ପାର୍ଟିର ଜଣେ କର୍ମୀଙ୍କର ମୃତଦେହ ଉଦ୍ଧାର ହୋଇଛି | ରହସ୍ୟମୟ ପରିସ୍ଥିତିରେ ଏକ କୋଠା ଭିତରେ କର୍ମୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା। ମୃତକଙ୍କ ନାମ ଅର୍ଜୁନ ଚୌରାସିଆ ବୋଲି ଜଣାପଡିଥିବାବେଳେ ସେ ବିଜେପି ଯୁବାମୋର୍ଚ୍ଚାର ଜଣେ ବରିଷ୍ଠ ସଦସ୍ୟ ଥିଲେ। ତେବେ ପଶ୍ଚିମବଙ୍ଗକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଅର୍ଜୁନଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି ।

ଏହି ଅବସରରେ ଅମିତ ଶାହା କହିଛନ୍ତି ଯେ ଆଜି ବିଜେପିର ଯୁବ ମୋର୍ଚ୍ଚା ଉପାଧ୍ୟକ୍ଷ ଅର୍ଜୁନ ଚୌରାସିଆଙ୍କୁ ରାଜନୀତି କାରଣରୁ ହତ୍ୟା କରାଯାଇଛି। ଗତକାଲି ହିଁ ଟିଏମସି ସରକାର ଗୋଟିଏ ବର୍ଷ ପୂରଣ କରିଛନ୍ତି, ଦ୍ୱିତୀୟ ଦିନରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ପରମ୍ପରା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଏବଂ ବିରୋଧୀ ଦଳର କର୍ମୀଙ୍କୁ ଟାର୍ଗେଟ କରିବାର ଅନେକ ଉଦାହରଣ ସାମ୍ନାକୁ ଆସୁଛି ଓ ଭୟର ବାତାବରଣ ସୃଷ୍ଟି କରିବାକୁ ଏକ ଷଡଯନ୍ତ୍ର ଟିଏମସି କରୁଛି | ଅମିତ ଶାହା କହିଛନ୍ତି ଯେ ଆମେ ଅର୍ଜୁନଙ୍କ ହତ୍ୟାକୁ ନିନ୍ଦା କରୁଛୁ ଓ ଏହାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯିବା ଉଚିତ୍।

ଅନ୍ୟପଟେ ବିଜେପି ଅଭିଯୋଗ କରିଛି ଯେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ଉକ୍ତ କର୍ମୀଙ୍କୁ ହତ୍ୟା କରିଛି, ଯଦିଓ ଦଳ(ଟିଏମସି) ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ବିଜେପିର ଅଭିଯୋଗକୁ ଖଣ୍ଡନ କରି ଟିଏମସି ସାଂସଦ ଶାନ୍ତନୁ ସେନ କହିଛନ୍ତି ଯେ ଆମ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ପୁଲିସକୁ ଘଟଣାର ତଦନ୍ତ କରିବାକୁ ଦିଅନ୍ତୁ। ”

ସମ୍ବନ୍ଧିତ ଖବର