ତାଜ୍‌ମହଲ୍‌ ନିର୍ମାଣ ପାଇଁ ଶାହାଜାହାନ୍‌ ‘କୋଟେସନ୍‌’ ମଗାଇ ନ ଥିଲେ: ଗୋଆ ମନ୍ତ୍ରୀ

ପାନାଜି: ପାନାଜିସ୍ଥିତ ପ୍ରସିଦ୍ଧ ‘କଳା ଏକାଡେମି ଅଟ୍ଟାଳିକା’ର ନବିକରଣ କାର୍ଯ୍ୟ ନିମନ୍ତେ ଗୋଆର କଳା ଏବଂ ସଂସ୍କୃତି ବିଭାଗ ଦେଇଥିବା ଠିକାକୁ ସମର୍ଥନ କରି ବୁଧବାର ଦିନ କଳା ଓ ସଂସ୍କୃତି ମନ୍ତ୍ରୀ ଗୋବିନ୍ଦ ଗ‌ୌଡ଼େ କହିଛନ୍ତି, ତାଜ୍‌ମହଲ୍‌ ନିର୍ମାଣ କରାଇବା ଲାଗି ଶାହାଜାହାନ୍‌ ‘କୋଟେସନ୍‌’ ମାଗି ନ ଥିଲେ।

ଗୋଆ ବିଧାନସଭାର ମୌସୁମୀ ଅଧିବେଶନର ପ୍ରଶ୍ନକାଳରେ ‘ଗୋଆ ଫର୍‌ୱାର୍ଡ ପାର୍ଟି’ର ବିଧାୟକ ବିଜାୟୀ ସର୍‌ଦେଶାଇ ଜାଣିବାକୁ ଚାହିଁଥିଲେ ଯେ, ରାଜ୍ୟ ରାଜଧାନୀରେ ଥିବା ‘କଳା ଏକାଡେମି ଅଟ୍ଟାଳିକା’ର ନବିକରଣ ନିମନ୍ତେ ୪୯ କୋଟି ଟଙ୍କାର କାମ ଆବଣ୍ଟନ କରାଯିବା ବେଳେ ‘କଳା ଓ ସଂସ୍କୃତି ବିଭାଗ’ କାହିଁକି କେତେକ ପ୍ରକ୍ରିୟା ବାଦ ଦେଇଛି।

Image Courtesy of Herald Goa

ତାଙ୍କ ବିଭାଗର ପଦକ୍ଷେପକୁ ସମର୍ଥନ କରି ମନ୍ତ୍ରୀ ଗୌଡ଼େ କହିଲେ, ଆଗ୍ରାରେ ତାଜ୍‌ମହଲ୍‌ ନିର୍ମାଣ କରାଇବା ଲାଗି ଶାହାଜାହାନ୍‌ ‘କୋଟେସନ୍‌’ ମଗାଇ ନ ଥିବାରୁ ତାହା ଚିରସ୍ଥାୟୀ ଓ ସୁନ୍ଦର ହୋଇପାରିଛି। ମୋର ମହାମାନ୍ୟ ସହଯୋଗୀ ନିଶ୍ଚୟ ଆଗ୍ରାସ୍ଥିତ ତାଜ୍‌ମହଲ୍‌ ଦେଖିବାକୁ ଯାଇଥିବେ। ୧୬୩୨ରେ ଏହାର ନିର୍ମାଣ ଆରମ୍ଭ ହୋଇ ୧୬୫୩ରେ ସମାପ୍ତ ହୋଇଥିଲା। କିନ୍ତୁ, ଆଜି ମଧ୍ୟ ତାହା ସୁନ୍ଦର ଓ ଚିରସ୍ଥାୟୀ ହୋଇ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି, ଆପଣ କାର୍ଯ୍ୟ ଆବଣ୍ଟନ କଥାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି କାହିଁକି? ତାଜ୍‌ମହଲ୍‌ ନିର୍ମାଣ କରିବା ବେଳେ ଶାହାଜାହାନ୍‌ ‘କୋଟେସନ୍‌’ ମାଗି ନ ଥିବାରୁ ୩୯୦ ବର୍ଷ ବିତିଯାଇଥିଲେ ବି ତାହା ଯେମିତିକୁ ସେମିତି ରହିଛି।

ସରଦେଶାଇ ଅଭିଯୋଗ କରିଥିଲେ ଯେ, ‘ସେଣ୍ଟ୍ରାଲ୍‌ ୱାର୍କସ୍‌ ଡିପାର୍ଟମେଣ୍ଟ୍‌’ର ‘ମାନୁଆଲ୍‌’କୁ ଉଲ୍ଲଂଘନ କରି କଳା ଓ ସଂସ୍କୃତି ବିଭାଗ ନବିକରଣ କାର୍ଯ୍ୟ ‘ଟେକ୍‌ଟନ୍‌ ବିଲଡ୍‌କନ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’କୁ ଅର୍ପଣ କରିଛି।

ସମ୍ବନ୍ଧିତ ଖବର