ତାଜମହଲ ଥିବା ସ୍ଥାନକୁ ବଳପୂର୍ବକ କବଜା କରିଥିଲେ ଶାହାଜାହନ, ଆମ ପାଖରେ ପ୍ରମାଣ ଅଛି: ବିଜେପି ସାଂସଦ ଦିୟା କୁମାରୀ

ନୂଆଦିଲ୍ଲୀ: ତାଜମହଲକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ହିନ୍ଦୁ ସଂଗଠନଗୁଡ଼ିକ ଦାବି କରୁଛନ୍ତି ଯେ ତାଜମହଲର ୨୨ଟି ବନ୍ଦ କୋଠରୀ ଖୋଲାଯାଉ, ଏହା ତାଜମହଲର ସତ୍ୟତା ପ୍ରକାଶ କରିବ। ସେପଟେ ବିଜେପି ସାଂସଦ ଦିୟା କୁମାରୀଙ୍କ ଦାବି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଛନ୍ତି ଯେ ଯେଉଁ ସ୍ଥାନରେ ତାଜମହଲ ନିର୍ମାଣ ହୋଇଛି ସେଠାରେ ପୂର୍ବରୁ ଜୟପୁରର ରାଜ ପରିବାରର ପ୍ରାସାଦ ଥିଲା। ହେଲେ ଶାହଜାହାନ ଏହାକୁ ବଳପୂର୍ବକ କବଜା କରିନେଇଥିଲେ।

ତାଜମହଲ ବିବାଦ ଉପରେ ବିଜେପି ସାଂସଦ ଦିୟା କୁମାରୀ କହିଛନ୍ତି ଯେ ଆମ ପାଖରେ ଥିବା ଦଲିଲ ଅନୁଯାୟୀ ସେହି ଜମିରେ ଏକ ପ୍ରାସାଦ ଥିଲା। ହେଲେ ନିଜ ଶାସନକାଳରେ ଶାହଜାହାନ ଏହାକୁ ଜବରଦସ୍ତ ଦଖଲ କରିନେଇଥିଲେ। ଏହି ଜମି ଜୟପୁରର ରାଜ ପରିବାରର ଥିଲା। ଦିୟାଙ୍କ ଏଭଳି ଦାବି ତାଜମହଲ ବିବାଦରେ ନିଆଁରେ ଘିଅ ଢ଼ାଳିବା ଭଳି କାମ କରିଛି।

zeenews

ଅନ୍ୟପକ୍ଷରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ପିଟିସନ ଦାଖଲ କରାଯାଇଛି ଯେ ତାଜମହଲରେ ତାଲା ପଡିଥିବା ୨୨ଟି କୋଠରୀ ଖୋଲାଯିବା ଉଚିତ ଏବଂ ଏଏସଆଇ ଦ୍ୱାରା ଏହାର ଯାଞ୍ଚ କରାଯିବା ଉଚିତ। ତାଜମହଲରେ ହିନ୍ଦୁ ଦେବତାମାନଙ୍କର ମୂର୍ତ୍ତି ଅଛି ବୋଲି ମଧ୍ୟ ଆବେଦନପତ୍ରରେ ଦର୍ଶାଯାଇଛି। ଏହି ଆବେଦନ ପରେ ନିଜ ପ୍ରତିକ୍ରିୟା ରଖି ପିଡିପି ଅଧ୍ୟକ୍ଷା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଥିଲେ ଯେ, ଯଦି ବିଜେପିର ଦମ୍ ଅଛି, ତେବେ ତାଜମହଲ ଏବଂ ଲାଲକିଲ୍ଲାକୁ ମନ୍ଦିରରେ ପରିଣତ କରି ଦେଖାଅ। ତା’ପରେ ଦେଖିବା ଭାରତର କେତେ ଲୋକ ଏହାକୁ ଦେଖିବାକୁ ଆସିବେ। ସେ ଆହୁରି କହିଛନ୍ତି, ଦୁର୍ଭାଗ୍ୟଜନକ ଯେ ବିଜେପି ଲୋକମାନଙ୍କୁ ଚାକିରି ଯୋଗାଇପାରୁନାହିଁ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିପାରୁନାହିଁ ଓ ଦେଶର ସମ୍ପତ୍ତି ବିକ୍ରି କରୁଛି। ଏ ନେଇ ଆଜି ଆମ ଦେଶ ବାଂଲାଦେଶ, ପାକିସ୍ଥାନ ଏବଂ ନେପାଳଠାରୁ ବି ପଛକୁ ଚାଲିଗଲାଣି। କିନ୍ତୁ ବିଜେପି ଏଥିପ୍ରତି ଧ୍ୟାନ ନଦେଇ ଅଯଥା ପ୍ରସଙ୍ଗ ଉପରେ ଧ୍ୟାନ ଦେଉଛି। ଦେଶର ଟଙ୍କା ଲୁଟିବା ପରେ ଯେଉଁମାନେ ପଳାୟନ କରିଥିଲେ ସେମାନଙ୍କୁ ଫେରାଇ ଆଣିବା ପରିବର୍ତ୍ତେ, ବିଜେପି ମୋଗଲ ଶାସନ କାଳରେ ନିର୍ମିତ ସମ୍ପତ୍ତିକୁ ନଷ୍ଟ କରିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର