କଶ୍ମୀର  : କେନ୍ଦ୍ର ସରକାରଙ୍କ ଉପରେ ବଢୁଛି ଚାପ, ଡୋଭାଲଙ୍କୁ ଭେଟିଲେ ଗୃହମନ୍ତ୍ରୀ ଶାହା, ଶୁକ୍ରବାର ଆସିପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : କଶ୍ମୀରରେ ଆତଙ୍କବାଦୀମାନଙ୍କ ଦ୍ବାରା ହିନ୍ଦୁମାନଙ୍କୁ ବାଛି ବାଛି ହତ୍ୟା କରିବାକୁ ନେଇ ସମଗ୍ର ଦେଶରେ ପ୍ରବଳ ପ୍ରତିକ୍ରିୟା ଓ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି ।

ଗୁରୁବାରଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଏକ ଜରୁରି ବୈଠକ କରିଛନ୍ତି । ବୈଠକରେ କଶ୍ମୀର ଉପତ୍ୟାକାର ସୁରକ୍ଷା ସ୍ଥିତି ସଂପର୍କରେ ଆଲୋଚନା କରାଯାଇଛି । ଆସନ୍ତା କାଲି ଅମିତ ଶାହା ଜମ୍ମୁ ଓ କଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଓ ଭାରତର ବାହ୍ୟ ଗୁଇନ୍ଦା ଏଜେନ୍ସି ର’ ମୁଖ୍ୟ ସାମନ୍ତ ଗୋଏଲଙ୍କୁ ଭେଟି ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏହା ପରେ ଆସନ୍ତା କାଲି ସରକାର ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ଏକ ବଡ଼ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି ।

ଏସବୁ ଆକ୍ରମଣ ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଷଡ଼ଯନ୍ତ୍ର ଥିବା ସଂଦେହ କରାଯାଉଥିବାରୁ ତାହାର ମୁକାବିଲା ପାଇଁ ସରକାର ରଣକୌଶଳ ପ୍ରସ୍ତୁତ କରୁଛନ୍ତି ।

ଗତ କିଛି ଦିନ ହେଲା କଶ୍ମୀରରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ମାମଲା ବଢିଯାଇଛି । ଗତ ମେ ୧ରୁ ଏପର୍ଯ୍ୟନ୍ତ  ୮ ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲାଣି । ସେମାନଙ୍କ ମଧ୍ୟରେ ରହିଛନ୍ତି ୫ ଜଣ ସାଧାରଣ ଲୋକ ଓ ୩ ଜଣ ସୁରକ୍ଷା କର୍ମୀ ।

ଗୁରୁବାରଦିନ କୁଲଗାମଠାରେ ରାଜସ୍ଥାନର ବିଜୟ କୁମାର ନାମକ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ତିନିଦିନ ତଳେ ରଜନି ବାଲାନାମକ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିଲା ।

 

 

 

ସମ୍ବନ୍ଧିତ ଖବର