ପ୍ରଧାନମନ୍ତ୍ରୀ ରେସରୁ ବାଦ୍ ପଡ଼ିଲେ ଶାହ ମହମ୍ମଦ କୁରେଶୀ, ଶେହବାଜ ପାକ୍ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ

ପାକ୍ ସଂସଦରେ ଆରମ୍ଭ ହେଲା ମତଦାନ

ଇସଲାମାବାଦ୍: ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦୌଡ଼ରୁ ଓହରିଗଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ। ପାକିସ୍ତାନ ସଂସଦରେ ଏବେ ପ୍ରଧାନମନ୍ତ୍ରୀ ପଦ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହାର ଠିକ ପୂର୍ବରୁ ପ୍ରଧାନମନ୍ତ୍ରୀ ରେସରୁ ବାଦ୍ ପଡ଼ିଛନ୍ତି କୁରେଶୀ। ଗତକାଲି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ କୁରେଶୀ। ହେଲେ ଏବେ ମତଦାନର ଅବ୍ୟବହିତ ପୂର୍ବରୁ ସେ ନିଜ ପ୍ରାର୍ଥୀତ୍ବ ଫେରାଇ ନେଇଛନ୍ତି।

ଆଉ କିଛି ସମୟ ମଧ୍ୟରେ ପାକିସ୍ତାନକୁ ଜଣେ ନୂତନ ପ୍ରଧାନମନ୍ତ୍ରୀ ମିଳିବେ। କୁରେଶୀ ଦୌଡ଼ରୁ ଓହରିବା ପରେ ପିଏମଏଲ-ଏନ ନେତା ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏବେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ପଦ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଆଜି ରାତିରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବେ।

ଏହା ପୂର୍ବରୁ ବିରୋଧୀ ଦଳଙ୍କ ସହ ବସିବାକୁ ମନା କରିଦେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। କୌଣସି ପରିସ୍ଥିତିରେ ଆମେ ଏହି ସଂସଦରେ ବସିବୁ ନାହିଁ। ମୁଁ ଏହି ଚୋରମାନଙ୍କ ସହିତ ସଂସଦରେ ବସି ଭୋଟ ଦେବି ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ସେ ଆହୁରି କହିଥିଲେ ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ୧୬ ବିଲିୟନ ଏବଂ ୮ ବିଲିୟନ ଟଙ୍କାର ଦୁର୍ନୀତି ମାମଲା ରହିଛି ସେ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏହା ଦେଶ ପାଇଁ ଲଜ୍ଜାଜନକ ବିଷୟ। ଏଥିପାଇଁ ତେହେରିକ୍-ଇ-ଇନସାଫ(ପିଟିଆଇ)ର ସମସ୍ତ ସଦସ୍ୟ ଇସ୍ତଫା ଦେବା ସହ ଏହି ନିର୍ବାଚନକୁ ବର୍ଜନ କରୁଛୁ।

ଉଲ୍ଲେଖଯୋଗ୍ୟ, ଅନାସ୍ଥା ଭୋଟରେ ସରକାର ପରାଜିତ ହେବା ପରେ ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଥିଲା। ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି ପଦଚ୍ୟୁତ ହୋଇଛନ୍ତି। ନିର୍ବାଚନ ସମୟରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଏବଂ ଅର୍ଥନୀତି ପରିଚାଳନାରେ ବିଫଳ ଅଭିଯୋଗ ତାଙ୍କ ବିରୋଧରେ ସହଯୋଗୀ ଦଳଗୁଡ଼ିକ ପ୍ରଥମେ ଆଣିଥିଲେ। ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ୧୭୪ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ତେବେ ଇମ୍ରାନଙ୍କ ପାକିସ୍ତାନ ତେହେରିକ୍-ଇ-ଇନସାଫ (ପିଟିଆଇ) ଦଳ ଭୋଟିଂ ବେଳେ ସଂସଦରେ ଅନୁପସ୍ଥିତ ଥିଲେ। ୨୨ କୋଟି ଜନସଂଖ୍ୟା ବିଶିଷ୍ଟ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ପାକିସ୍ତାନରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ପୂର୍ଣ୍ଣ କାର୍ଯ୍ୟକାଳ କ୍ଷମତାରେ ରହିପାରି ନାହାନ୍ତି। ସେହିଭଳି ୭୫ ବର୍ଷରୁ ପାଖାପାଖି ଅଧା ସମୟ ଏଠାରେ ସେନା କ୍ଷମତାରେ ରହିଛି।

ସମ୍ବନ୍ଧିତ ଖବର