ମୁମ୍ବାଇ: ଶାହାରୁଖ ଖାନ କେବଳ ବଲିଉଡ ପାଇଁ ନୁହଁନ୍ତି, ସେ ବାସ୍ତବ ଜୀବନରେ ମଧ୍ୟ ରାଜା ଅଟନ୍ତି। କରୋନା ମହାମାରୀରେ ଶାହରୁଖ ଖାନ ବିଭିନ୍ନ ସହରର ଲୋକଙ୍କୁ ସାହାଯ୍ୟ କରିଥିଲେ। ଏପରିକି ତାଙ୍କ ମୁମ୍ବାଇ କାର୍ଯ୍ୟାଳୟକୁ କୋଭିଡ ସେଣ୍ଟର ଭାବରେ ବ୍ୟବହାର କରିବାକୁ ସେ ଅନୁମତି ଦେଇଥିଲେ। ଏବେ ତାଙ୍କର ଉଦାରତାର ଆଉ ଏକ ହୃଦୟ ଛୁଇଁବା ଭଳି ଘଟଣା ସାମ୍ନାକୁ ଆସିଛି।

Advertisment

ଦିଲ୍ଲୀରେ ଅଞ୍ଜଳି ସିଂହଙ୍କୁ କାର୍ ଧକ୍କା ଦେଇ ଘୋଷାଡି ନେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ପଚରାଉଚରା କରୁଥିବା ବେଳେ ଏବେ ଶାହରୁଖ, ଅଞ୍ଜଳିଙ୍କ ପରିବାର ପାଇଁ ଭଗବାନ ହୋଇ ଆସିଥିବା ଜଣାପଡ଼ିଛି। ଅଞ୍ଜଳି କାମ କରି ଘର ଚଳାଉଥିବା ବେଳେ ତାଙ୍କର ମୃତ୍ୟୁ ପରେ ଏବେ ଘର ଲୋକଙ୍କ ଚଳିବା କଷ୍ଟକର ହୋଇପଡ଼ିଛି। ଏହି ସମସ୍ୟା ମଧ୍ୟରେ ଏବେ ଶାହରୁଖଙ୍କ ଏନଜିଓ ମୀର ଫାଉଣ୍ଡେସନ ଅଞ୍ଜଳିଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା କୁହାଯାଉଛି। ତେବେ ଶାହରୁଖଙ୍କ ଏନଜିଓ ମୀର ଫାଉଣ୍ଡେସନ ଅଞ୍ଜଳିଙ୍କ ପରିବାରକୁ କେତେ ଟଙ୍କାର ସହାୟତା ଦେଇଛନ୍ତି ତାହା ସାମ୍ନାକୁ ଆସିନାହିଁ।

ଉଲ୍ଲେଖଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ଦିନ ଘଟିଥିଲା ଏକ ହୃଦୟ ବିଦାରକ ଘଟଣା। ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏବେ ଦାୟୀ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ନେଇ ପଚରାଉଚରା କରୁଛି ପୁଲିସ।