ମୁମ୍ବାଇ: ଆଜି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ମୁମ୍ବାଇର ଏସପ୍ଲାନେଡ କୋର୍ଟ। ଆରୟନଙ୍କ ସହ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ମଧ୍ୟ ଜେଲରେ ରହିବେ ବୋଲି ଜଣାପଡ଼ିଛି। ଆରୟନ ଖାନ ବର୍ତ୍ତମାନ ମୁମ୍ବାଇର ଆର୍ଥୁର ରୋଡ ଜେଲରେ ଏନସିବି ହେପାଜତରେ ରହିବେ। ତେବେ ଜେଲରେ ଆରୟନ କିପରି ରହିବେ ସେନେଇ ଖବର ସାମ୍ନାକୁ ଆସିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଆରୟନ ଖାନଙ୍କ ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଜେଲର ପ୍ରଥମ ମହଲାର ବ୍ୟାରେକ ନମ୍ବର-୧ରେ ରଖାଯାଇଛି। ଏଯାବତ କାହାରିକୁ ୟୁନିଫର୍ମ ଦିଆଯାଇନାହିଁ। ସମସ୍ତଙ୍କୁ ପାଞ୍ଚଦିନ ପାଇଁ ବ୍ୟାରେକ ନମ୍ବର-୧ରେ କ୍ବାରେଣ୍ଟାଇନରେ ରଖାଯାଇଛି। ଯଦି ଏମାନଙ୍କ ମଧ୍ୟରେ କାହାର ବି କରୋନା ଲକ୍ଷଣ ଦେଖାଦେଲା ତୁରନ୍ତ ପରୀକ୍ଷା କରାଯିବ।
ନିକଟରେ ହୋଇଥିବା ପରୀକ୍ଷାରେ ୮ଜଣ ଅଭିଯୁକ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ସମସ୍ତେ କରୋନାର ଦ୍ବିତୀୟ ଡୋଜ ନେଇ ସାରିଛନ୍ତି। ସେଥିପାଇଁ ସେମାନଙ୍କୁ କେବଳ ୫ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି। କାହାରିକୁ ବି ସ୍ବତନ୍ତ୍ର ଭାବେ ରଖାଯିବ ନାହିଁ। ଜେଲରେ ବନ୍ଦୀ ଥିବା ଅନ୍ୟ ଅଭିଯୁକ୍ତଙ୍କ ଭଳି ଏମାନେ ବି ସେମିତି ରହିବେ।
ଏନସିବି ହେପାଜତରେ ଏଯାବତ ଆରୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ସେମାନଙ୍କ ଆବଶ୍ୟକ ଅନୁଯାୟୀ ସାମଗ୍ରୀ ଯୋଗାଇ ଦିଆଯାଉଛି। କିନ୍ତୁ ଜେଲ ଯିବା ପରେ ଏସବୁ ବନ୍ଦ କରି ଦିଆଯିବ।
ଯଦି ଏମାନଙ୍କ ମଧ୍ୟରୁ କାହାରିକୁ ଘରର ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ, ତେବେ ସେମାନେ କୋର୍ଟଙ୍କ ଠାରୁ ପରାମର୍ଶ ନେବେ। ଏପଟେ କୋର୍ଟଙ୍କ କଡ଼ା ନିର୍ଦେଶ ରହିଛି କି ଏମାନଙ୍କ ମଧ୍ୟରୁ କାହାରିକୁବି ବାହାର ଖାଦ୍ୟ ଖାଇବାକୁ ଅନୁମତି ନାହିଁ। ଜେଲରେ ତିଆରି ହେଉଥିବା ରୁଟି ଖାଇବା ସହିତ ସକାଳ ୬ଟାରୁ ଉଠିବାକୁ ହେବ।
୭ଟାରେ ଜଳଖିଆରେ ଶିରା ଓ ପୋହା ଖାଇବାକୁ ଦିଆଯିବ। ସେହିପରି ୧୧ରେ ମଧ୍ୟାହ୍ନ ଭୋଜନ ରହିଛି। ରାତିରେ ରୁଟି, ତରକାରୀ, ଡାଲି ଓ ଭାତ ଖାଇବେ ଜେଲବାସୀ।
ଆରୟନ ଖାନ ଓ ଅନ୍ୟ ଅଭିଯୁକ୍ତଙ୍କୁ ଜେଲ ଭିତରେ ବୁଲିବାକୁ ଅନୁମତି ନାହିଁ। ସେହିପରି ଖାଇବା ବେଳେ ଯଦି ଅଧିକ ଖାଦ୍ୟ ଆବଶ୍ୟକ କରନ୍ତି। ଟଙ୍କା ଦେଇ କ୍ୟାଣ୍ଟିନରୁ ଖାଇ ପାରିବେ। ଏମିତି ଜେଲରେ ଦିନ କାଟିବେ କିଙ୍ଗଖାନଙ୍କ ପୁଅ।