ମୁମ୍ବାଇ: ‘କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସ୍’ ଜାହଜରେ ଧରାପଡ଼ିଥିବା ଡ୍ରଗ୍ସ ମାମଲାରେ ‘ନାକ୍ରୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ’ (ଏନ୍ସିବି) ସୁପର୍ଷ୍ଟାର୍ ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟାନ୍ଙ୍କୁ ପଚରା ଉଚୁରା କରୁଛି।
ଶନିବାର ରାତିରେ ଉକ୍ତ ଜାହାଜରେ ଚାଲିଥିବା ‘ରେଭ୍ ପାର୍ଟି’ ସଂକ୍ରାନ୍ତରେ ‘ଏନ୍ସିବି’ ଆର୍ଯ୍ୟାନ୍ଙ୍କୁ ପଚରାଉଚୁରା କରୁଥିଲେ ବି ଏ ପର୍ଯ୍ୟନ୍ତ ତାଙ୍କୁ କୌଣସି ଅଭିଯୋଗରେ ବୁକ୍ କିଂବା ଗିରଫ କରାଯାଇ ନ ଥିବା କଥା ‘ଏନ୍ସିବି’ର ଜୋନାଲ୍ ଡାଇରେକ୍ଟର୍ ସମୀର ୱାଙ୍ଖେଡ଼େ କହିଛନ୍ତି।
ଉପରୋକ୍ତ ‘ରେଭ୍ ପାର୍ଟି’ ଆୟୋଜନ କରିଥିବା ୬ଜଣଙ୍କୁ ମଧ୍ୟ ‘ଏନ୍ସିବି’ ସମନ୍ ଜାରି କରିଛି।
ଆର୍ଯ୍ୟାନ୍ ପାଖରେ ଡ୍ରଗ୍ସ ରଖିଥିଲେ କିଂବା ଖାଉଥିଲେ କି ନାହିଁ, ତାହା ଜାଣିବା ଲାଗି ‘ଏନ୍ସିବି’ ତାଙ୍କ ଫୋନ୍ ଜବତ କରି ଯାଞ୍ଚ କରୁଛି। ଅନ୍ୟମାନଙ୍କ ଠାରୁ ଜବତ ହୋଇଥିବା କେତେକ ଫୋନ୍ରେ ରିସିଭ୍ କରାଯାଇଥିବା ହ୍ବାଟସଆପ୍ ‘ଚ୍ୟାଟ୍’ ସବୁକୁ ମଧ୍ୟ ‘ଏନ୍ସିବି’ କର୍ତ୍ତୃପକ୍ଷ ଯାଞ୍ଚ କରୁଛନ୍ତି।
ଏହି ‘କ୍ରୁଜ୍ ପାର୍ଟି’ରେ ଯୋଗ ଦେବା ଲାଗି ଦିଲ୍ଲୀରୁ ଆସିଥିବା ତିନିଜଣ ଝିଅଙ୍କୁ ମଧ୍ୟ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ସେମାନେ କେତେକ ପ୍ରମୁଖ ବ୍ୟବସାୟୀଙ୍କ ଝିଅ ବୋଲି ସୂଚନା ମିଳିଛି।
ଏକ ବିବୃତିରେ ‘ଏନ୍ସିବି’ କହିଛି, ‘କ୍ରୁଜ୍’ରୁ ‘ଏକ୍ଷ୍ଟେସି’, ‘କୋକେନ୍’, ‘ମେଫିଡ୍ରୋନ୍’ ଏବଂ ‘ଚରସ୍’ ଭଳି ମାଦକ ଦ୍ରବ୍ୟ ଜବତ କରାଯିବା ପରେ ଏକ ମାମଲା ରୁଜୁ କରାଯାଇଛି। ଦୁଇଜଣ ମହିଳାଙ୍କ ସମେତ ୮ଜଣଙ୍କୁ ଅଟକ ରଖି ‘ଏନ୍ସିବି’ ସେମାନଙ୍କର ଭୂମିକା ବିଷୟରେ ତଦନ୍ତ ଆରମ୍ଭ କରିଛି।
ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଗତକାଲି ଯାତ୍ରୀ ସାଜି ‘ଏନ୍ବିସି’ ଟିମ୍ ‘କର୍ଡେଲିଆ କ୍ରୁଜେସ୍ ଏମ୍ପ୍ରେସ୍’ ନାମକ ଉକ୍ତ ଜାହାଜରେ ଚଢ଼ିଥିଲେ। ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ‘କର୍ଡେଲିଆ କ୍ରୁଜେସ୍’ର ଅଧ୍ୟକ୍ଷ ତଥା ‘ସିଇଓ’ ଜର୍ଗେନ୍ ବେଲମ୍ କହିଛନ୍ତି, କେତେକ ଯାତ୍ରୀଙ୍କ ଲଗେଜ୍ରୁ ‘ଏନ୍ସିବି’ ମାଦକ ଦ୍ରବ୍ୟ ପାଇଛି। ଉକ୍ତ ଲଗେଜ୍ ଆଣିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ‘କର୍ଡେଲିଆ’ରୁ ଓହ୍ଲାଇ ଦିଆଯାଇଛି। ଏହି ଘଟଣା ଅଧିକ ତଦନ୍ତ ସାପେକ୍ଷ।