ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଶାହ ଏବେ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି।
ଆଜି ବୀରଭୂମରେ ‘ ଜନ ସମ୍ପର୍କ ସମାବେଶ’ ରୢାଲିରେ ଉଦ୍ବୋଧନ ଦେଇ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ରାମ ନବମୀ ହିଂସା ପ୍ରସଙ୍ଗରେ ଶାହ ସିଧାସଳଧ ଦିଦିଙ୍କୁ ଆକ୍ରମଣ କରିଛନ୍ତି। ଶାହ କହିଛନ୍ତି, ବଙ୍ଗରେ କ’ଣ ରାମ ନବମୀ ଶୋଭାଯାତ୍ରା ହୋଇପାରିବନି। ସେମାନଙ୍କ ଉପରେ କ’ଣ ଆକ୍ରମଣ କରାଯିବ। ଏହା ଦିଦିଙ୍କ ତୁଷ୍ଟୀକରଣ ରାଜନୀତି। ଏଥିପାଇଁ ରାଜ୍ୟ ଅଶାନ୍ତ ହେଉଛି। କିନ୍ତୁ ଥରେ ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିଗଲେ ରାମ ନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରିବାକୁ କାହାର ସାହସ ହେବନାହିଁ।
ଶାହ କହିଛନ୍ତି, ଦିଦିଙ୍କ ଅପରାଧ ବିରୋଧରେ ଲଢ଼େଇ କରିବାର ଏକମାତ୍ର ବାଟ ହେଉଛି ବିଜେପି। ପଶ୍ଚିମବଙ୍ଗକୁ ଆତଙ୍କବାଦରୁ ମୁକ୍ତ କରିବାର ଏକମାତ୍ର ବାଟ ହେଉଛି ବିଜେପି। ପଶ୍ଚିମବଙ୍ଗରେ ଅନୁପ୍ରବେଶ ବନ୍ଦ କରିବାପାଇଁ ଏକମାତ୍ର ବାଟ ହେଉଛି ବିଜେପି। ୨୦୨୪ରେ କେବଳ ଆମକୁ ୩୫ ଆସନ ଦିଅ। ଏହାପରେ ୨୦୨୫ ବିଧାନସଭା ନିର୍ବାଚନର ଆବଶ୍ୟକ ହେବନାହିଁ। ୨୦୨୫ ପୂର୍ବରୁ ମମତା ଦିଦିଙ୍କ ସରକାର ଭୁଶୁଡ଼ି ପଡ଼ିବ। ଦିଦି କେବଳ ତାଙ୍କ ପୁତୁରାଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ଚାହାନ୍ତି। ମମତା ଦିଦି ଆପଣ ଆପଣ ପୁତୁରାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସ୍ବପ୍ନ ଦେଖୁଛନ୍ତି। କିନ୍ତୁ ବୀରଭୂମରୁ ମୁଁ ଏହା କହୁଛି ଯେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହିଁ ହେବେ। ୨୦୨୪ ନିର୍ବାଚନରେ ଏହାର ଟ୍ରେଲର ଦେଖିବାକୁ ମିଳିବ ବୋଲି ଶାହ କହିଛନ୍ତି।