ଭୋପାଲ: ମଧ୍ୟପ୍ରଦେଶରେ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟରେ ହ୍ଵାଟ୍ସ୍ଆପ୍ରେ କରାଯାଇଥିବା ଏକ ଚାଟ୍ର ସ୍କ୍ରିନ୍ସଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇଜଣ ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବା ନେଇ କଥା ହେଉଥିବା ଦେଖା ଯାଇଛି । ଏହି ଭାଇରାଲ ହୋଇଥିବା ଚାଟ୍ଟି ନିର୍ବାଚନ ପୂର୍ବର ବୋଲି ଜଣା ପଡ଼ିଛି । ସ୍କ୍ରିନ୍ସଟ୍ ଭାଇରାଲ ହେବା ପରେ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ନିଜ ଉପରୁ ଦୋଷ ଖସାଇ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣା ପଡ଼ିଛି । ସୂଚନା ମୁତାବକ, ଶହଡୋଲର ଜିଲ୍ଲାପାଳ ଅନୁଭା ଶ୍ରୀବାସ୍ତବ ଏବଂ ଅତିରିକ୍ତ ଜିଲ୍ଲାପାଳ ପୂଜା ତିଓ୍ଵାରୀଙ୍କ ମଧ୍ୟରେ ବିଜେପିକୁ ଜିତାଇବା ନେଇ ହୋଇଥିବା କଥା ବାର୍ତ୍ତାର ସ୍କ୍ରିନ୍ସଟ୍ ଭାଇରାଲ ହୋଇଛି ।
ଭାଇରାଲ ହୋଇଥିବା ଚାଟ୍ର ସ୍କ୍ରିନ୍ସଟ୍ରେ, ମ୍ୟାଡାମ୍, ସେକ୍ଟର-୨ରେ ଅବସ୍ଥା ଠିକ୍ ରହିଛି । କିନ୍ତୁ ଜୈତ୍ପୁରରେ ଅବସ୍ଥାକୁ ନିୟନ୍ତ୍ରଣ କରାଯାଇ ପାରି ନାହିଁ । କଂଗ୍ରେସ ଆଗରେ ରହିଛି ବୋଲି ପୂଜା ଅନୁଭାଙ୍କୁ କହିଛନ୍ତି । ଏହା ପରେ, ସେ ଅଞ୍ଚଳରେ କଂଗ୍ରେସ ମୂଳପୋଛ ହେବା ଦରକାର । ମୁଁ ଆର୍ଓ ଡ଼େହରିଆଙ୍କୁ ଫୋନ କରୁଛି । ଯଦି ତୁମକୁ ଏସ୍ଡିଏମ୍ ହେବାରେ ଅଛି ତେବେ ବିଜେପିକୁ ଜିତାଅ ବୋଲି ଅନୁଭା ପୂଜାଙ୍କୁ କହୁଥିବା ଦେଖା ଯାଇଛି ।
/sambad/media/post_attachments/wp-content/uploads/2019/01/xmp-1547817589.jpg.pagespeed.ic_.p8enoTTQs9-300x225.jpg)
ଚାଟ୍ ଭାଇରାଲ ହେବା ପରେ ଦୁହେଁ ଏହାକୁ ନକଲି ବୋଲି କହି ମାମଲା ରୁଜୁ କରିଛନ୍ତି । ପୁଲିସ ଆଇଟି ଆକ୍ଟ ଆଧାରରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଜାଞ୍ଚ ଆରମ୍ଭ କରିଛି ।