ଦିଲ୍ଲୀରେ ଲକଡାଉନ୍ : ଶାହୀନବାଗ ପ୍ରତିବାଦସ୍ଥଳ ଖାଲି କଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ ଲକଡାଉନ ଘୋଷଣା ହୋଇଥିବାରୁ ଗତ କେତେ ମାସ ଧରି “ସିଏଏ’ ବିରୋଧରେ ପ୍ରତିବାଦ ଚଳାଇ ଆସୁଥିବା ଶହ ଶହ ମହିଳାଙ୍କୁ ଶାହୀନବାଗ ପ୍ରତିବାଦସ୍ଥଳରୁ ଆଜି ଦିଲ୍ଲୀ ପୁଲିସ ହଟାଇ ଦେଇଛି ।

ଶାହୀନବାଗ ପ୍ରତିବାଦକାରୀମାନେ ସାମାନ୍ୟ ପ୍ରତିରୋଧ ପ୍ରଦର୍ଶନ କରିବା ପରେ ଦିଲ୍ଲୀ ପୁଲିସ ବଳପୂର୍ବକ ସେମାନଙ୍କୁ ସ୍ଥାନାନ୍ତର କରିଛି । ଏବେ ପ୍ରତିବାଦସ୍ଥଳରେ ମାତ୍ର ଅଳ୍ପ କେତେଜଣ ମହିଳା ଉପସ୍ଥିତ ଅଛନ୍ତି । ସେମାନଙ୍କୁ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ସ୍ଥାନାନ୍ତରିତ ହୋଇଥିବା ମହିଳାମାନେ ପ୍ରତିବାଦସ୍ଥଳରେ ସେମାନଙ୍କ ଚପଲ ରଖି ଯାଇଛନ୍ତି ।

୧୪୪ ଧାରା ନିଷେଧାଦେଶ ଉଲ୍ଲଂଘନ କରିବା କାରଣରୁ ପୁଲିସ ୬ଜଣ ମହିଳା ଏବଂ ତିନିଜଣ ପୁରୁଷ ପ୍ରତିବାଦକାରୀଙ୍କୁ ଅଟକ ରଖିଛି ।

Image Source: Hindustan Times

ଦକ୍ଷିଣ-ପୂର୍ବ ଦିଲ୍ଲୀ ଡିସିପି କହିଛନ୍ତି ଯେ ଲକଡାଉନ ଘୋଷଣା ହୋଇଥିବାରୁ ସ୍ଥାନ ଖାଲି କରିବାକୁ ଆଜି ଶାହୀନବାଗ ପ୍ରତିବାଦସ୍ଥଳରେ ଲୋକମାନଙ୍କୁ ଅନୁରୋଧ କରାଯାଇଥିଲା । ଏ ସମୟରେ ଜନସମାଗମ ବେଆଇନ । ତେଣୁ ଅନୁରୋଧ ଅଗ୍ରାହ୍ୟ କରିବାରୁ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲା । ପ୍ରତିବାଦସ୍ଥଳ ଖାଲି କରାଯାଇଛି । କେତେକ ପ୍ରତିବାଦକାରୀଙ୍କୁ ଅଟକ ରଖାଯାଇଛି ।

ପ୍ରତିବାଦସ୍ଥଳ ଖାଲି କରିବା ପୂର୍ବରୁ ସେଠାରେ ପୁଲିସ ନିରାପତ୍ତା ବ୍ୟବସ୍ଥା କଠୋର କରିବା ସହ ୧୪୪ଧାରା ଜାରି କରିଥିଲା । ଜାନୁଆରି ମାସରେ ଦଙ୍ଗା ବ୍ୟାପିଥିବା ଜାଫ୍ରାବାଦରେ ମଧ୍ୟ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ସରକାର ମାର୍ଚ ୩୧ ତାରିଖ ଯାଏଁ ସମଗ୍ର ଦିଲ୍ଲୀରେ ଲକଡାଉନ୍ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର