ନୂଆଦିଲ୍ଲୀ: ଦୁଇ ଜଣ ପାକିସ୍ତାନୀ କ୍ରିକେଟର ଏବେ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଏବଂ ପୂର୍ବତନ ସ୍ପିନର ଦାନିଶ କନେରିଆ ଅନେକ ପ୍ରସଙ୍ଗକୁ ନେଇ ପରସ୍ପରକୁ ଟାର୍ଗେଟ କରିଛନ୍ତି। ଆଫ୍ରିଦି ଭାରତକୁ ଶତ୍ରୁ ଦେଶ ବୋଲି କହିିଥିବା ବେଳେ କନେରିଆ ଏହାକୁ ଅସ୍ବୀକାର କରି ନିଜର ମତ ରଖିଛନ୍ତି। ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଶତ୍ରୁତା ଏବେ ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି।
ସୂଚନା ମୁତାବକ, କନେରିଆ ଏକ ସାକ୍ଷାତକାରରେ କହିଥିଲେ ଯେ, ଶାହିଦ ମୋତେ ଇସଲାମ ଧର୍ମ ଗ୍ରହଣ କରିବାକୁ ଅନେକ ଥର କହିଥିଲେ, କିନ୍ତୁ ମୁଁ ତାଙ୍କ କଥାକୁ ଗମ୍ଭୀରତାର ସହ ନେଇ ନଥିଲି। ଏହା ସହ ସେ ମୋ ସହ ର୍ଦୁବ୍ୟବହାର କରିବା ସହ ମୋତେ ହଇରାଣ କରୁଥିଲେ। ଏହାର ଜବାବ ଦେବାକୁ ଯାଇ ଆଫ୍ରିଦି କହିଥିଲେ ଯେ, ଯଦି ତାଙ୍କୁ ମୋର ବ୍ୟବହାର ଖରାପ ଲାଗୁଥିଲା, ତେବେ ସେ ପାକିସ୍ତାନ କ୍ରିକେଟ ବୋର୍ଡରେ ମୋର ଅଭିଯୋଗ ନ କରି ଶତ୍ରୁ ଦେଶ ଭାରତକୁ କାହିଁକି ସାକ୍ଷାତକାର ଦେଇ ଏଭଳି କହୁଛନ୍ତି।

ଆଫ୍ରିଦିଙ୍କ ଏଭଳି ପ୍ରତିକ୍ରିୟା ଉପରେ କନେରିଆ କହିଛନ୍ତି ଯେ, ଭାରତ ଆମର ଶତ୍ରୁ ନୁହେଁ। ଆମର ଶତ୍ରୁମାନେ ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ ଧର୍ମ ନାଁରେ ଆମକୁ ଉତ୍ତେଜିତ କରୁଛନ୍ତି। ଯଦି ଆପଣ ଭାବୁଛନ୍ତି ଭାରତ ଆମର ଶତ୍ରୁ, ତେବେ କୌଣସି ଭାରତୀୟ ଚ୍ୟାନେଲକୁ ଅତିଥି ହୋଇ ଯାଆନ୍ତୁ ନାହିଁ।