କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଆରମ୍ଭ ହୋଇଥିବା ଝଡ଼ କେବଳ ଏଇଠି ସୀମିତ ରହିବ ନାହିଁ ବରଂ ପଶ୍ଚିମବଙ୍ଗର କୋଣ-ଅନୁକୋଣରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଙ୍ଗଳା ସରକାର ‘ମହିଳାଙ୍କ ଅତ୍ୟାଚାରୀ’ଙ୍କୁ ବଞ୍ଚାଇବା ପାଇଁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରୁଛନ୍ତି। ବାରାସତରେ ବିଜେପି ମହିଳା ମୋର୍ଚ୍ଚାର ଏକ ରାଲିରେ ପ୍ରଧାନମନ୍ତ୍ରୀ ବିଜେପି ତରଫରୁ ଯୁଦ୍ଧଂ ଦେହି ଡାକରା ଦେଇ କହିଥିଲେ, ଏଥର ‘ଏନ୍‌ଡିଏ ସରକାର, ୪୦୦ ପାର’।

Advertisment

ପ୍ରଧାନମନ୍ତ୍ରୀ କହିଥିଲେ, ଇଣ୍ଡି-ମେଣ୍ଟର ନେତାମାନେ ଏବେ କହୁଛନ୍ତି ଯେ ମୁଁ ବଂଶବାଦ ରାଜନୀତି ବିରୋଧରେ କହୁଛି କାରଣ ମୋର କୌଣସି ପରିବାର ନାହିଁ। ସେମାନେ ଜାଣିବାକୁ ଚାହୁଛନ୍ତି ମୋ ପରିବାର କେଉଁଠି ଅଛି। ଏହି ବଂଶବାଦୀମାନେ ଏଠାକୁ ଆସି ଦେଖିବା ଉଚିତ। ସମବେତ ଜନତାଙ୍କୁ ଦେଖାଇ ମୋଦୀ କହିଥିଲେ- ଏହା ହେଉଛି ‘ମୋଦୀ କା ପରିବାର’। ପ୍ରଧାନମନ୍ତ୍ରୀ କହିଥିଲେ, ମୋ ପାଇଁ ବଙ୍ଗଳାର ମା’ ଓ ଭଉଣୀମାନେ ଦେବୀ ଦୁର୍ଗାଙ୍କ ପରି। ବଙ୍ଗଳାର ନାରୀଶକ୍ତି ଦେଶକୁ ଏକ ଦିଶା ଦେଇଛି। କିନ୍ତୁ ଏହି ରାଜ୍ୟରେ ତୃଣମୂଳ ଶାସନରେ ମହିଳାମାନେ ଅତ୍ୟାଚାରର ଶିକାର ହୋଇଛନ୍ତି। ତୃଣମୂଳ ଏକ ଗମ୍ଭୀର ପାପ କରିଛି। ସନ୍ଦେଶଖାଲିରେ ଯାହା ଘଟିଲା ତାହା ସମସ୍ତଙ୍କୁ ଲଜ୍ଜିତ କରିଛି। ସାଧାରଣ ସଭା ପରେ ପ୍ରଧାନମନ୍ତ୍ରୀ ସନ୍ଦେଶଖାଲିର କିଛି ମହିଳାଙ୍କୁ ଭେଟିଥିଲେ ଧୈର୍ଯ୍ୟର ସହ ସେମାନଙ୍କ ଦୁଃଖ ଶୁଣିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର କିଛି ସମୟ ପରେ ତୃଣମୂଳ କଂଗ୍ରେସ ଏହାର ଜବାବ ଦେଇଛି। ଦଳର ସାଂସଦ ଡେରେକ୍ ଓ’ବ୍ରାଏନ୍ କହିଛନ୍ତି ଯେ ଜଣେ ବିଜେପି ନେତାଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସୁଥିବାରୁ ମହିଳା ସୁରକ୍ଷା ଉପରେ ଭାଷଣ ଦେବାର ପ୍ରଧାନମନ୍ତ୍ରୀଙ୍କ କୌଣସି ଅଧିକାର ନାହିଁ। ଆଜି ପ୍ରଧାନମନ୍ତ୍ରୀ ନାରୀଶକ୍ତି ଉପରେ ଭାଷଣ ଦେଇଛନ୍ତି। ଦେଶରେ ପ୍ରତି ଘଣ୍ଟାରେ ୫୧ଜଣ ମହିଳାଙ୍କ ବିରୋଧରେ ଅପରାଧ ମାମଲା କାହିଁକି ଘଟୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।