ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ‌ ଆଜି ମହାରାଷ୍ଟ୍ରର ହିଙ୍ଗୋଳିରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ସେଠାରେ ନିର୍ବାଚନ କମିସନ ଅଧିକାରୀମାନେ ଶାହଙ୍କ ହେଲିକପ୍ଟର ଏବଂ ବ୍ୟାଗ୍‌ ତଲାସୀ କରିଛନ୍ତି।  ନିର୍ବାଚନ ଅଧିକାରୀମାନେ ହେଲିକପ୍ଟରରେ ଶାହଙ୍କ ବ୍ୟାଗ୍‌ ଯାଞ୍ଚ କରୁଥିବାର ଭିଡିଓ ଶାହ ପୋଷ୍ଟ୍‌ କରି କହିଛନ୍ତି, ବିଜେପି ମୁକ୍ତ ଓ ଅବାଧ ନିର୍ବାଚନରେ ବିଶ୍ବାସ କରେ । ଏଥିପାଇଁ ଏହା ନିର୍ବାଚନ କମିସନ୍‌ଙ୍କ ଦ୍ବାରା ପ୍ରସ୍ତୁତ ସମସ୍ତ ନିୟମକୁ ଅନୁସରଣ କରେ। ଶାହ କହିଛନ୍ତି, ଆମେ ସମସ୍ତେ ଭାରତକୁ ବିଶ୍ବରେ ଏକ ଶକ୍ତିଶାଳୀ ଗଣତନ୍ତ୍ର ଭାବେ ରଖିବାରେ ଆମର କର୍ତ୍ତବ୍ୟ ସଠିକ୍‌ ଭାବେ ପାଳନ କରିବା ଉଚିତ ଏବଂ ଆମର ଏକ ସ୍ବଚ୍ଛ ନିର୍ବାଚନ ପଦ୍ଧତି ପ୍ରତି ଅବଦାନ ରହିବା ଉଚିତ।  ଉଲ୍ଲେଖଯୋଗ୍ୟ,  ଏମ୍‌ସିସି (ନିର୍ବାଚନ ଆଚରଣ ବିଧି) ଲାଗୁ ରହିଥିବା ବେଳେ ନିର୍ବାଚନ ଅଧିକାରୀମାନେ ନିୟମିତ ଭାବେ  ରାଜନେତାଙ୍କ ହେଲିକପ୍ଟର ଏବଂ ବ୍ୟାଗ୍‌ ଚେକ୍‌ କରୁଛନ୍ତି।  ଭୋଟରଙ୍କୁ ଲୋଭାନ୍ବିତ କରିବାପାଇଁ ଉପହାର ଏବଂ ଟଙ୍କା‌ ବାଣ୍ଟିବା ଭଳି କାର୍ଯ୍ୟକୁ ବନ୍ଦ କରିବା ଲକ୍ଷ୍ୟରେ ଇସି ଏହି କାର୍ଯ୍ୟପନ୍ଥା ଗ୍ରହଣ କରିଛି। ନିର୍ବାଚନ କମିସନ ମଧ୍ୟ ଏହି କ୍ରମରେ କିଛି ବିରୋଧୀ ଦଳ ‌ନେତାଙ୍କର ବ୍ୟାଗ୍‌ ଚେକ୍‌ କରିଛନ୍ତି।  

Advertisment

ଉଲ୍ଲେଖଯୋଗ୍ୟ, ଶିବସେନା‌ (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଗତ ସୋମବାର ୟବତମାଲରେ ପହଞ୍ଚିବା ପରେ ନିର୍ବାଚନ ଅଧିକାରୀମାନେ ତାଙ୍କ ବ୍ୟାଗ୍‌ ଯାଞ୍ଚ କରିଥିଲେ। ଏହି ଘଟଣାକୁ ନେଇ ଶାସକ ମହାୟୁତି ମେଣ୍ଟ ଏବଂ ବିରୋଧୀ ଏମ୍‌ଭିଏ ମଧ୍ୟରେ ତୀବ୍ର କଥା କଟାକଟି ଜାରି ରହିଥିବା ବେଳେ ଏହି ସମୟରେ ନିର୍ବାଚନ ଅଧିକାରୀମାନେ ଶାହଙ୍କ ବ୍ୟାଗ୍‌ ଯାଞ୍ଚ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ଆସନ୍ତା ନଭେମ୍ବର ୨୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ନଭେମ୍ବର ୨୩ ତାରିଖରେ ନିର୍ବାଚନ ଫଳ ଘୋଷଣା ହେବ।