ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ଟାର୍ଗେଟ୍ କିଲିଂ ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଗୃହ ବ୍ୟାପାର ମନ୍ତ୍ରାଳୟରେ ହୋଇଥିବା ଏହି ବୈଠକରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଏନ୍ଏସଏ ଅଜିତ ଡୋଭାଲ, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ସିଆରପିଏଫ୍ ଡିଜି କୁଲଦୀପ ସିଂହ ଏବଂ ବିଏସ୍ଏଫ୍ ମୁଖ୍ୟ ପଙ୍କଜ ସିଂହ ଏବଂ ଅନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଗୃହମନ୍ତ୍ରୀ କାଶ୍ମୀରରେ ସୁରକ୍ଷା ସ୍ଥିତି ସମୀକ୍ଷା କରି ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି।
ବୈଠକର ନିଷ୍ପତ୍ତି ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନଥିଲେ ମଧ୍ୟ କାଶ୍ମୀରରେ ଆତଙ୍କବାଦର ମୂଳପୋଛ ପାଇଁ ଅତି କଠୋର ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରେ ବୋଲି କୁହାଯାଉଛି। ଆଗାମୀ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ମଧ୍ୟ ଏହି ବୈଠକରେ ଆାଲୋଚନା ହୋଇଛି। ଉଲ୍ଲେଖଯୋଗ୍ୟ, କାଶ୍ମୀରରେ ଟାର୍ଗେଟ୍ କିଲିଂ ବଢ଼ିବାରେ ଲାଗିଛି। ମେ’ ୧ ପରେ କାଶ୍ମୀରରେ ୯ଟି ଟାର୍ଗେଟ୍ କିଲିଂ ହୋଇଛି। ଗତକାଲି ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରାଯାଇଥିବାବେଳେ ଏହାର ଦିନକ ପୂର୍ବରୁ ଜଣେ ସ୍କୁଲ୍ ଶିକ୍ଷୟିତ୍ରୀଙ୍କୁ ସ୍କୁଲ୍ ପରିସରରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଟାର୍ଗେଟ୍ କିଲିଂକୁ ବିରୋଧ କରି ଶ୍ରୀନଗରରେ କାଶ୍ମୀର ପଣ୍ଡିତମାନେ ଜୋରଦାର ଆନ୍ଦୋଳନ କରିଛନ୍ତି ଏବଂ କେତେକ ସ୍ଥାନରୁ ପଳାୟନ ମଧ୍ୟ ଆରମ୍ଭ ହୋଇଛି।