ଖାଲି ରାଜପଥ କାହିଁକି ରାଜସ୍ଥାନର ନାମ ବି ବଦଳାଇଦିଅନ୍ତୁ, ମୋଦୀଙ୍କୁ କିଛି ଏଭଳି କଟାକ୍ଷ କଲେ ଶଶି ଥରୁର

ନୂଆଦିଲ୍ଲୀ: ରାଜପଥର ନାମକୁ କର୍ତ୍ତବ୍ୟପଥରେ ପରିବର୍ତ୍ତନ କରିଥିବାରୁ ବିଜେପି ସରକାରକୁ ସମାଲୋଚନା କରି କଂଗ୍ରେସ ନେତା ତଥା ଲେଖକ ଶଶି ଥରୁର କେନ୍ଦ୍ରକୁ କିଛି ପ୍ରଶ୍ନ ପଚାରିଛନ୍ତି | ସେ ପଚାରିଛନ୍ତି ଯେ ଯେଭଳି ରାଜପଥର ନାମ କର୍ତ୍ତବ୍ୟ ପଥରେ ପରିଣତ କଲେ ସେଭଳି ଦେଶର ସମସ୍ତ ରାଜଭବନର ନାମ କର୍ତ୍ତବ୍ୟ ଭବନ ନାମରେ ନାମିତ କରାଯିବା ଉଚିତ ନୁହେଁ କାହିଁକି? ସେ ଟ୍ୱିଟରରେ ଟ୍ୱିଟ କରି କହିଛନ୍ତି ଯେ ସରକାର ଏଠାରେ ଅଟକିଯିବା କଥା ନୁହେଁ ବରଂ ରାଜସ୍ଥାନର ନାମକୁ ପରିବର୍ତ୍ତନ କରି କର୍ତ୍ତବ୍ୟସ୍ଥାନ କରିଦେବା ଉଚିତ |

ଉଲ୍ଲେଖ ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୮ ରେ କର୍ତ୍ତବ୍ୟପଥର ଉଦଘାଟନ କରିବା ପରେ କହିଥିଲେ ଯେ ଏହି ପଦକ୍ଷେପ ସର୍ବସାଧାରଣ ମାଲିକାନା ତଥା ସଶକ୍ତିକରଣର ଉଦାହରଣ ଭାବରେ ଦର୍ଶାଉଛି। ଦାସତ୍ୱର ପ୍ରତୀକ ‘କିଙ୍ଗସୱେ (ରାଜପଥ) ଆଜିଠାରୁ ଇତିହାସରେ ପରିଣତ ହୋଇଛି ଏବଂ ସବୁଦିନ ପାଇଁ ଲିଭାଇ ଦିଆଯାଇଛି’ ଏବଂ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। କର୍ତ୍ତବ୍ୟ ପଥର ଉଦଘାଟନ କରି ମୋଦୀ କହିଥିଲେ ଯେ ଆମକୁ ଏବେ ଗୋଲାମୀ ପରିଚୟରୁ ମୁକ୍ତି ମିଳିଲା। ଏହି ଅବସରରେ ସେ ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିଥିଲେ।

ରାଜପଥର ନାମକରଣ କିପରି ହୋଇଥିଲା ?
ରାଜପଥକୁ ବ୍ରିଟିଶ ସରକାର ସମ୍ରାଟ ୫ମ ଜର୍ଜଙ୍କ ସମ୍ମାନରେ ନାମିତ କରାଯାଇଥିଲା । ଏହାର ମୂଳ ନାମ ଥିଲା କିଙ୍ଗସ ଓ୍ବେ, ଯାହାର ଅନୁବାଦ ହେବ ‘ରାଜପଥ’ । ୧୯୧୧ରେ ବ୍ରିଟିଶ ସରକାର ନୂଆଦିଲ୍ଲୀକୁ ବ୍ରିଟିଶ ଭାରତର ରାଜଧାନୀ କରିବା ପରେ ୫ମ ଜର୍ଜ ଭାରତ ଆସିଥିଲେ । ତାଙ୍କ ସମ୍ମାନରେ ଏହି ରାସ୍ତାର ଏପରି ନାମକରଣ ହୋଇଥିଲା । ସ୍ବାଧୀନତା ପରେ କିଙ୍ଗସଓ୍ବେର ନାମକୁ ଅନୁବାଦ କରି ରାଜପଥ କରାଗଲା । ଏବେ ମୋଦୀ ସରକାର ଏହାର ନାମକୁ ବଦଳେଇ ‘କର୍ତ୍ତବ୍ୟ ପଥ’ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର