ନୂଆଦିଲ୍ଲୀ : ଅଧିକ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଉଥିବା ଜମା ଉପରେ ବିଶ୍ବାସ କରିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ଲୋକମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପରାମର୍ଶ ଦେଇଛନ୍ତି। ଅଧିକ ରିଟର୍ଣ୍ଣ ସହ ସର୍ବଦା ଅଧିକ ବିପଦ ଜଡ଼ିତ ରହିଥାଏ। ଟଙ୍କା ଜମା ରଖିବା ବେଳେ ଏହି କଥାକୁ ସବୁବେଳେ ମନରେ ରଖିବା ଦରକାର ବୋଲି ସେ କହିଛନ୍ତି।
ଶକ୍ତିକାନ୍ତ କହିଛନ୍ତି ଯେ ଯଦି କୌଣସି ବ୍ୟାଙ୍କ ଅଧିକ ସୁଧ ଦେବ ବୋଲି କହୁଛି ତେବେ ସେହି ବ୍ୟାଙ୍କରେ ଟଙ୍କା ଜମା କରିବା ପୂର୍ବରୁ ଗ୍ରାହକ ଅତ୍ୟନ୍ତ ସତର୍କ ରହିବା ଦରକାର। କାରଣ ଆମ ଅନୁଭୂତି କହୁଛି ଯେ ଅଧିକ ରିଟର୍ଣ୍ଣ କିମ୍ବା ଅଧିକ ସୁଧରେ ସବୁ ବେଳେ ଅଧିକ ବିପଦ ରହିଥାଏ। ଏହାର ଅର୍ଥ ନୁହେଁ ଅଧିକ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଉଥିବା ସବୁ ସଂସ୍ଥା ଖରାପ। ଏଭଳି ବହୁ ସଂସ୍ଥା ରହିଛନ୍ତି ସେମାନେ ଅଧିକ ସୁଧ ଦେଉଥିବା ବେଳେ ବିଶ୍ବାସଯୋଗ୍ୟ ମଧ୍ୟ। ସେଭଳି ସଂସ୍ଥା ଚିହ୍ନଟ କରି ସେଥିରେ ଟଙ୍କା ଜମା ରଖିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।
‘ଡିପୋଜିଟର୍ସ ଫାଷ୍ଟ୍’ ନାମକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଦୃଢ଼ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ପ୍ରତିବଦ୍ଧ ରହିଛି। କିନ୍ତୁ ଏଥିପାଇଁ ମିଳିତ ଉଦ୍ୟମ ଲୋଡ଼ା। ବ୍ୟାଙ୍କର ପରିଚାଳନା କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବୋର୍ଡ, ଅଡିଟ୍ କମିଟି, ବିପଦ ପରିଚାଳନା କମିଟି ଏବଂ ଅନ୍ୟାନ୍ୟ ନିୟାମକ ବ୍ୟବସ୍ଥା ଆଦି ସମସ୍ତଙ୍କୁ ମିଳିତ ଭାବେ ଉଦ୍ୟମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ବ୍ୟାଙ୍କ ବିଫଳ ହେବା ଭଳି ମାମଲାରେ ଜମାକାରୀଙ୍କୁ ବୀମା ରାଶି ପ୍ରଦାନ କରିବାକୁ ଶେଷ ବିକଳ୍ପ ଭାବେ ବିଚାର କରାଯାଉଥିବା ଶକ୍ତିକାନ୍ତ କହିଛନ୍ତି। ନିୟାମକ ଗାଇଡ୍ଲାଇନ୍କୁ ଦୃଢ଼ କରି ପ୍ରତ୍ୟକ୍ଷ ରଣନୀତି ଜରିଆରେ ନିରୀକ୍ଷଣ ବ୍ୟବସ୍ଥାକୁ ଦୃଢ଼ କରିବା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଏହା ଦ୍ବାରା ବ୍ୟାଙ୍କଗୁଡ଼ିକୁ ଦୃଢ଼ ବୋଲି ନିଶ୍ଚିତ କରାଯାଇପାରିବ ବୋଲି ସେ କହିଛନ୍ତି।