ନୂଆଦିଲ୍ଲୀ: ଜୁଲାଇରେ ଖାଦ୍ୟ ଏବଂ ପନିପରିବା ଦର ହ୍ରାସ ସୁଧ ହାର ହ୍ରାସ ପାଇଁ ପର୍ଯ୍ୟାପ୍ତ ନୁହେଁ। ଏନ୍‌ଡିଟିଭିକୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା କହିଛନ୍ତି। ରିଜର୍ଭ ବ୍ୟାଙ୍କର ଜଟିଳ କାର୍ଯ୍ୟକୁ ସାଧାରଣ ଲୋକର ଭାଷାରେ ବୁଝାଇବା ପାଇଁ କରାଯାଇଥିବା ପ୍ରଶ୍ନର ଉତ୍ତରରେ ଶକ୍ତିକାନ୍ତ କହିଛନ୍ତି ସୁଧ ହାର ହ୍ରାସରେ ଯଦି କୌଣସି ହ୍ରାସ ହୁଏ ତା’ହେଲେ ତାହା ଭବିଷ୍ୟତର ତଥ୍ୟ ଉପରେ ନିର୍ଭର କରିବ। ସେଥିରେ ମୁଦ୍ରାସ୍ଫୀତିର ବଡ଼ ଭୂମିକା ରହିବ। ତେବେ ମୁଦ୍ରାସ୍ଫୀତି ୪ ପ୍ରତିଶତ ତଳକୁ ଯିବାନେଇ ରିଜର୍ଭ ବ୍ୟାଙ୍କ କେବେ ବି କହିନାହିଁ। ମୁଦ୍ରାନୀତି କମିଟି ବୈଠକର ରିପୋର୍ଟକୁ ଯତ୍ନର ସହ ଦେଖିଲେ ଏହା ଜଣାପଡ଼ିବ ବୋଲି ଶକ୍ତିକାନ୍ତ କହିଛନ୍ତି। ମୁଦ୍ରାସ୍ଫୀତିକୁ ଧାର୍ଯ୍ୟ ଲକ୍ଷ୍ୟ (ପ୍ରାୟ ୪ ପ୍ରତିଶତ) ସ୍ତରରେ ଦୀର୍ଘଦିନ ପାଇଁ ରଖିବାକୁ ଆମେ ଆଗ୍ରହୀ। ଆମର ଦୃଢ଼ ଆସ୍ଥା ରହିବା ଦରକାର ଯେ ମୁଦ୍ରାସ୍ଫୀତି ୪ ପ୍ରତିଶତ ପାଖାପାଖି ରହିବ। ଏଥିପାଇଁ ଆମକୁ ଧୈର୍ଯ୍ୟ ରଖିବାକୁ ହେବ ଏବଂ ଅଧିକ ବାଟ ଯିବାକୁ ହେବ।

Advertisment

ଏତଦ୍‌ବ୍ୟତୀତ ଶକ୍ତିକାନ୍ତ ଏହା ମଧ୍ୟ କହିଛନ୍ତି ଯେ ସୁଧ ହାର ହ୍ରାସ କରା ନଯିବା ଦ୍ବାରା ଅଭିବୃଦ୍ଧି ଉପରେ ଏହାର ଯେଉଁ ପ୍ରଭାବ ପଡ଼ୁଛି ତାହା ଅତ୍ୟନ୍ତ ନଗଣ୍ୟ। କାରଣ ଆମେ ଏବେ ବି ୭.୨ ପ୍ରତିଶତ ହାରରେ ଆଗକୁ ବଢ଼ୁଛୁ, ଯାହାକି ବିଶ୍ବରେ ସର୍ବାଧିକ। ଅଭିବୃଦ୍ଧି ଦୃଢ଼ ରହିଛି। କିନ୍ତୁ ଆମକୁ ମୁଦ୍ରାସ୍ଫୀତି ହ୍ରାସ କରିବାର ଆବଶ୍ୟକତା ରହିଛି। ଯେ‌କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଆମକୁ ମୁଦ୍ରାସ୍ଫୀତିକୁ ଧ୍ୟାନରେ ରଖିବାକୁ ହେବ। ଆମେ ଆଶା କରୁଛୁ ଏହା ୪ ପ୍ରତିଶତ ପାଖାପାଖି ରହିବ। ଖାଉଟି ସାମଗ୍ରୀ ଯୋଗାଣ ସ୍ଥିତିରେ ଉନ୍ନତି ଆସିଛି। ଏହି ଧାରା ଆଗାମୀ ତ୍ରୟମାସରେ ଅବ୍ୟାହତ ରହିବା ଆଶା ରହିଛି ବୋଲି ଶକ୍ତିକାନ୍ତ କହିଛନ୍ତି। ରିଜର୍ଭ ବ୍ୟାଙ୍କ ଚଳିତମାସରେ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟରେ ରେପୋ ହାର (ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ କରିଥାଏ)କୁ ଅପରିବର୍ତ୍ତିତ ରଖିଛି। ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୩.୫୪ ପ୍ରତିଶତକୁ ହ୍ରାସ ପାଇଥିବାରୁ ଆଗାମୀ ବୈଠକରେ ରିଜର୍ଭ ବ୍ୟାଙ୍କ ସୁଧ ହାର କମାଇବ ବୋଲି ଅନେକ ଆଶା ରଖିଛନ୍ତି। କିନ୍ତୁ ଶକ୍ତିକାନ୍ତ ଆଗାମୀ ଦିନର ତଥ୍ୟକୁ ଦେଖିବାକୁ ହେବ ବୋଲି କହିବାରୁ ସୁଧ ହାର କମିବ ବୋଲି ସ୍ପଷ୍ଟ ଭାବେ କୁହାଯାଇ ପାରିବ ନାହିଁ।