ନୂଆଦିଲ୍ଲୀ: ଅସୁରକ୍ଷିତ ଋଣ ନିୟମକୁ କଡ଼ାକଡ଼ି କରିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରିକେଟର ଜଣେ ବଡ଼ ପ୍ରଶଂସକ। ଦିନିକିଆ ବିଶ୍ବକପ୍ର ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚ୍ରେ ତାଙ୍କୁ ଷ୍ଟାଡିୟମ୍ର ଦର୍ଶକ ଗ୍ୟାଲେରିରେ ଦେଖିବାକୁ ମିଳିଥିଲା। ତାଙ୍କ ଜୀବନରେ କ୍ରିକେଟ କେତେ ମହତ୍ବ ରଖୁଛି ତାହା ଆଜି ସେ ଦେଇଥିବା ଏକ ଉଦାହରଣରୁ ଜଣାପଡ଼ିଛି। ଅସୁରକ୍ଷିତ ଋଣ ଉପରେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇ ଭାରତୀୟ କ୍ରିକେଟ ଦଳର କୋଚ୍ ରାହୁଲ ଦ୍ରାବିଡ୍ଙ୍କ ଭଳି ଖେଳିବାକୁ କହିଛନ୍ତି। ଦ୍ରାବିଡ୍ ଯେଭଳି ପିଚ୍ରେ ଦୀର୍ଘ ସମୟ ଧରି ଖେଳୁଥିଲେ ସେଭଳି କାରବାର କରିବାକୁ ହେବ। ଆଜିକୁ ଦେଖି ବଞ୍ଚିବା ଭାବନା ଛାଡ଼ିବାକୁ ପଡ଼ିବ। ନିଜ ସର୍ତ ଅନୁସାରେ ଅଳ୍ପ ସମୟ ପାଇଁ ଖେଳିବାଠାରୁ ବିରତ ରହିବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଅସୁରକ୍ଷିତ ଋଣ ନିୟମକୁ କଡ଼ାକଡ଼ି କରିବା ଏକ ସୁଚିନ୍ତିତ ପଦକ୍ଷେପ ବୋଲି ଶକ୍ତିକାନ୍ତ କହିଛନ୍ତି।
ଦରଦାମ୍ ଉପରେ ରିଜର୍ଭ ବ୍ୟାଙ୍କ କଡ଼ା ନଜର ରଖିଛନ୍ତି ବୋଲି ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ବିତ୍ତୀୟ ବ୍ୟବସ୍ଥା ଦୃଢ଼ ରହିବ ତେବେ ସମସ୍ୟାର ସହଜରେ ମୁକାବିଲା କରାଯାଇପାରିବ। ସେଥିପାଇଁ ବିଶ୍ବରେ ଘଟୁଥିବା ଘଟଣାଗୁଡ଼ିକୁ ଭାରତ ସହଜରେ ମୁକାବିଲା କରିପାରୁଛି। ଖୁଚୁରା ମୁଦ୍ରାସ୍ଫୀତି ହାର ଉପରେ ରିଜର୍ଭ ବ୍ୟାଙ୍କ ଅର୍ଜୁନଙ୍କ ଭଳି ତୀକ୍ଷ୍ଣ ନଜର ରଖିଛନ୍ତି। ଏହାକୁ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ଉପରେ ଧ୍ୟାନ ଦିଆଯାଉଛି ବୋଲି ସେ କହିଛନ୍ତି।