ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କର ଜମା ରାଶିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଅର୍ଥ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛନ୍ତି। କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବ୍ୟାଙ୍କଗୁଡ଼ିକୁ ଜମା ସମ୍ପର୍କରେ ସତର୍କ କରାଇଥିଲେ। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସେମାନଙ୍କୁ ସେହି କଥା ମନେ ପକାଇ ଦେଇଛନ୍ତି। ସରକାରୀ ବ୍ୟାଙ୍କ ପ୍ରଦର୍ଶନ ସମୀକ୍ଷା କରିବା ବେଳେ ଅଧିକ ଜମା ସଂଗ୍ରହ ଲାଗି ଅଭିଯାନ ଆରମ୍ଭ କରିବାକୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ବୈଠକରେ ଡିଜିଟାଲ୍ ପେମେଣ୍ଟ, ସାଇବର ନିରାପତ୍ତା ଓ ବଜେଟ୍ ଘୋଷଣା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏମ୍ଏସ୍‌ଏମ୍ଇ ପାଇଁ ନୂଆ ଋଣ ଅନୁଶୀଳନ ସ୍କିମ୍‌ ଲାଗୁ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଓ ପିଏମ୍ ବିଶ୍ବକର୍ମା ଯୋଜନାରେ ହିତାଧିକାରୀମାନଙ୍କୁ ଋଣ ଦେବାକୁ ବ୍ୟାଙ୍କମାନଙ୍କୁ କୁହାଯାଇଛି।

Advertisment

କିଛି ଦିନ ପୂର୍ବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସ କହିଥିଲେ ଯେ ଲୋକମାନେ ଘରେ ରଖୁଥିବା ସଞ୍ଚୟ ରାଶିର କିଛି ଅଂଶ ମ୍ୟୁଚୁଆଲ୍ ଫଣ୍ଡ ଓ ପେନ୍‌ସନ୍ ଫଣ୍ଡରେ ନିବେଶ କରୁଥିବାରୁ ବ୍ୟାଙ୍କରେ ଜମା କରିବା ଲାଗି ସେମାନଙ୍କ ପାଖରେ ପୂର୍ବଭଳି ଅଧିକ ଟଙ୍କା ରହୁନାହିଁ। ଗତ କିଛି ବର୍ଷ ହେଲାଣି ବ୍ୟାଙ୍କଗୁଡ଼ିକର ଋଣ ଅଭିବୃଦ୍ଧି ସେମାନଙ୍କ ଜମା ଅଭିବୃଦ୍ଧିଠାରୁ ଅଧିକ ରହୁଛି। ଋଣ ଚାହିଦା ପୂରଣ କରିବା ଲାଗି ବ୍ୟାଙ୍କଗୁଡ଼ିକ ଆଉ କେବଳ ଜମା ଉପରେ ନିର୍ଭର କରୁନାହାନ୍ତି। ସେମାନଙ୍କୁ ଅନ୍ୟ ଉପାୟରେ ପାଣ୍ଠି ଯୋଗାଡ଼ କରିବାକୁ ପଡ଼ୁଛି। ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇପାରେ ବୋଲି ଶକ୍ତିକାନ୍ତ କହିଥିଲେ। ଲୋକମାନେ ଯେଭଳି ବ୍ୟାଙ୍କରେ ଟଙ୍କା ଜମା ରଖିବାକୁ ଆଗ୍ରହ ଦେଖାଇବେ ସେଥିପାଇଁ ଆକର୍ଷଣୀୟ ସ୍କିମ୍‌ ଆଣିବା ଏବଂ ଜମା ସଂଗ୍ରହ ଅଭିଯାନ ଆୟୋଜନ କରିବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ। ତେ‌ବେ ଜମା କମୁଥିବା ଚର୍ଚ୍ଚାକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଖଣ୍ଡନ କରିଛି। ୨୦୨୩-୨୪ରେ ଜମାରେ ୨୪.୩ ଲକ୍ଷ କୋଟି ଟଙ୍କା ଓ ଋଣରେ ୨୭.୫ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଥିବା ଏହା ଜଣାଇଛି।