ଲଜ୍ଜା: ନିର୍ଭୟାକାଣ୍ଡର ପୁନରାବୃତ୍ତି:ପଶ୍ଚିମବଙ୍ଗରେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣଦୁଷ୍କର୍ମ

ଅନ୍ତବୁଜୁଳା ବାହାରି ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା

କୋଲ୍‌କାତା: ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଘଟଣା ପରେ ଆଇନ କଡ଼ାକଡ଼ି ଯୋଗୁଁ ଦୁଷ୍କର୍ମକାରୀଙ୍କ ପ୍ରାଦୁର୍ଭାବ କମିବ ବୋଲି ଯାହା ଆଶା କରାଯାଉଥିଲା ତାହା ଭୁଲ୍‌ ପ୍ରମାଣିତ ହୋଇଛି। ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁରରେ ନିର୍ଭୟାକାଣ୍ଡର ପୁନରାବୃତ୍ତି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଜଣେ ୨୮ ବର୍ଷୀୟା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ବଳାତ୍କାରୀମାନେ ଲୁହା ଛଡ଼ ଭର୍ତ୍ତି କରି ଅନ୍ତବୁଜୁଳା ବାହାର କରିଦେବା ଭଳି ପୈଶାଚିକ ଘଟଣା ବୁଦ୍ଧିଜୀବୀମାନଙ୍କୁ ମର୍ମାହତ କରିଛି। ପୀଡ଼ିତା ମରିଯାଇଛି ଭାବି ବଳାତ୍କାରୀମାନେ ଫିଙ୍ଗି ଚାଲି ଯାଇଥିବା ବେଳେ ଗ୍ରାମବାସୀଙ୍କ ସହାୟତାରେ ସେ ଏବେ ମେଡିକାଲ୍‌ରେ ଭର୍ତ୍ତି ହୋଇ ମରଣ ସହ ସଂଘର୍ଷ ଜାରି ରଖିଛନ୍ତି।
ସୂଚନାନୁଯାୟୀ, ଦିନାଜପୁର ଜିଲ୍ଲାର ଦେହବନ୍ଦ ଗ୍ରାମର ଏହି ପୀଡ଼ିତା ଜଣକ ଗତ ୧୭ ତାରିଖରେ ଗ୍ରାମ ନିକଟ ଶ୍ରୀମତି ନଦୀ ପଠାରୁୁ ମେଳା ଦେଖି ଫେରୁଥିଲେ। ତେବେ ତାଙ୍କୁ ଏକୁଟିଆ ପାଇ କିଛି ଦୁର୍ବୃତ୍ତ ବଳପୂର୍ବକ ଏକ ପୋଲ ତଳକୁ ଟେକିନେଇଥିଲେ। ସେଠାରେ ଅସହାୟ ଯୁବତୀଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ତେବେ କଥା ପ୍ରଘଟ ହୋଇଯିବା ଆଶଙ୍କାରେ ସେମାନେ ଅଚେତ ଅବସ୍ଥାରେ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ଲୁହା ଛଡ଼ ଭର୍ତ୍ତି କରି ମାରିଦେବାକୁ ଚେଷ୍ଟା କରିଥିଲେ। ପରେ ସେ ମରିଯାଇଥିବା ଭାବି ସେଠାରେ ଫିଙ୍ଗି ପଳାଇଯାଇଥିଲେ। ମାତ୍ର ତାହା ପରଦିନ ଅପରାହ୍ନରେ ପୀଡ଼ିତାଙ୍କ ଗ୍ରାମର ଜଣେ ବାସିନ୍ଦା ତାଙ୍କୁ ପୋଲ ତଳେ ଅନ୍ତବୁଜୁଳା ବାହାରି ଅଚେତ୍‌ ଅବସ୍ଥାରେ ପଡ଼ିଥିବା ଦେଖି ଚକିତ ହୋଇଯାଇଥିଲେ। ତେବେ ପୀଡ଼ିତାଙ୍କ ମୁହଁରେ ପାଣି ଛାଟିବାରୁ ଚେତା ଫେରିବା ପରେ ତାଙ୍କୁ ସବୁକଥା ପଚାରିଥିଲେ। ମାନସିକ ବିକାରଗ୍ରସ୍ତ ହୋଇଥିଲେ ମଧ୍ୟ ନିଜ ସହ ଘଟିଯାଇଥିବା ଲୋମଟାଙ୍କୁରା କାହାଣୀ ସେ ବଖାଣିଥିଲେ। ତାଙ୍କ ଗ୍ରାମର ଜଣେ ଲୋକ ସହ ଅନ୍ୟ କିଛି ଅଚିହ୍ନା ଲୋକ ତାଙ୍କୁ ଟେକିନେଇ ଏଭଳି କାଣ୍ଡ ଘଟାଇଥିଲେ ବୋଲି ସେ ସ୍ପଷ୍ଟ କରିିଥିଲେ।

ପୀଡ଼ିତାଙ୍କୁ ଧରି ସେହି ଉଦ୍ଧାରକାରୀ ଜଣକ କୁସ୍‌ମାଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଏହାପରେ କୁସ୍‌ମାଣ୍ଡି ପୁଲିସ ପୀଡ଼ିତାଙ୍କୁ ପ୍ରଥମେ ରାଇଗଞ୍ଜ୍‌ ଚିକିତ୍ସାଳୟକୁ ନେଇଥିଲେ। ତାଙ୍କୁ ଅନେକ ଥର ଦୁଷ୍କର୍ମ କରାଯାଇଥିବା ଏବଂ ଗୁପ୍ତାଙ୍ଗରେ ଲୁହା ଛଡ଼ ଭର୍ତ୍ତି କରାଯାଇଥିବା ଡାକ୍ତରମାନେ କହିଥିଲେ। ଅପରପକ୍ଷେ, ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ମାଲ୍‌ଦା ମେଡିକାଲ କଲେଜ୍‌ ଓ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇଥିବା ବେଳେ ସ୍ୱତନ୍ତ୍ର ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସେ ଏବେ ମରଣ ସହ ସଂଘର୍ଷ କରୁଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଦୁଇଜଣଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର