ସ୍ବାଭାବିକ ମୃତ୍ୟୁ ତଥାପି ସନ୍ଦେହ ! ସେନ୍ ଓ୍ଵାର୍ଣ୍ଣଙ୍କ ଶବ ମିଳିବାର କିଛି ସମୟ ପୂର୍ବରୁ ରିସର୍ଟରୁ ବାହାରିଥିଲେ ୪ ମହିଳା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବୋଲର୍ ସେନ୍ ଓ୍ଵାର୍ଣ୍ଣଙ୍କ ଶବ ବ୍ୟବଛ୍ଚେଦ ରିପୋର୍ଟରେ ମୃତ୍ୟୁର କାରଣ ସ୍ବାଭାବିକ ବୋଲି ଦର୍ଶାଯାଇଛି। ତେବେ, ଥାଇଲାଣ୍ଡର ଯେଉଁ ରିସର୍ଟରେ ଓ୍ଵାର୍ଣ୍ଣ ରହୁଥିଲେ ସେଠାକାର ସିସିଟିଭି ଭିଡିଓ ସାମନାକୁ ଆସିଛି। ଏହି ଭିଡିଓକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।

ଓ୍ଵାର୍ଣ୍ଣ ଓ ତାଙ୍କ ସାଥୀମାନଙ୍କୁ ମାଲିସ୍ କରିବା ପାଇଁ ଥାଇଲାଣ୍ଡର ଚାରି ଜଣ ମହିଳା ରିସର୍ଟକୁ ଆସିଥିଲେ। ଏହି ୪ ମହିଳା ଓ୍ଵାର୍ଣ୍ଣଙ୍କ ଶବ ମିଳିବାର କିଛି ସମୟ ପୂର୍ବରୁ ହିଁ ସେଠାରୁ ବାହାରକୁ ବାହାରିଥିଲେ। ଚାରି ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଅନୁସାରେ ୫ଟା ବେଳେ ଓ୍ଵାର୍ଣ୍ଣ ବୁକିଂ କରିଥିଲେ ଯେଉଁଥିରେ ତାଙ୍କୁ ମାଲିସ୍, ପାଦ ମାଲିସ୍ ଓ ନଖ ଚିକିତ୍ସା ପାଇଁ ଡକା ଯାଇଥିଲା।

ମିଡିଆ ରିପୋର୍ଟ ଅନୁସାରେ ଯେତେବେଳେ ମହିଳା ଓ୍ଵାର୍ଣ୍ଣଙ୍କ କଠୋରୀ ପାଖରେ ପହଞ୍ଚି କବାଟ ଠକ୍ ଠକ୍ କରିଥିଲେ ସେତେବେଳେ ତାଙ୍କୁ କିଛି ଜବାବ ମିଳି ନଥିଲା। ଏହାପରେ ସେ ନିଜ ମାଲିକଙ୍କୁ ଫୋନ କରି ଜଣାଇଥିଲେ ଯେ ଓ୍ଵାର୍ଣ୍ଣ କବାଟ ଖୋଲୁ ନାହାନ୍ତି। ଅନେକ ସମୟ ଧରି ସେ କବାଟ ନ ଖୋଲିବାରୁ ସାଙ୍ଗମାନେ ଆସି କବାଟ ଖୋଲିଥିଲେ ଓ ଓ୍ଵାର୍ଣ୍ଣଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ। ଏହାପରେ ଆମ୍ଵୁଲାନ୍ସ ଡକା ଯାଇଥିଲା।

ସିସିଟିଭି ଫୁଟେଜ୍ ଦ୍ଵିପହର ୨ଟା ବେଳର। ଥାଇଲାଣ୍ଡ ପୁଲିସ ଅନୁସାରେ, ସେନ୍ ଓ୍ଵାର୍ଣ୍ଣଙ୍କ ମୃତ୍ୟୁ ସନ୍ଧ୍ୟା ପ୍ରାୟ ୫ଟା ୧୫ରେ ହୋଇଥିଲା। ତାଙ୍କୁ ହୃଦଘାତ ହୋଇଥିଲା। କଠୋରୀରେ ଏପରି କୌଣସି ବସ୍ତୁ ମିଳି ନାହିଁ ଯାହା ସୂଚାଉଛି ସେନ ଓ୍ଵାର୍ଣ୍ଣଙ୍କ ମୃତ୍ୟୁରେ କୌଣସି ଗଡବଡ ହୋଇଛି।

ଥାଇଲାଣ୍ଡ ପୁଲିସ ମୁଖ୍ୟ ସିସିଟିଭି ଫୁଟେଜ୍ ଆସିବା ପରେ କହିଛନ୍ତି, ସେନ୍ ଓ୍ଵାର୍ଣ୍ଣ ମହିଳାମାନଙ୍କୁ ମାଲିସ୍ ପାଇଁ ଡାକିଥିଲେ। କିନ୍ତୁ ଏହା ସହ ତାଙ୍କ ମୃତ୍ୟୁର କୌଣସି ସଂପର୍କ ନାହିଁ।

ଅଷ୍ଟ୍ରେଲିଆର ମିଡିଆ ଅନୁସାରେ ଥାଇଲାଣ୍ଡରେ ଓ୍ଵାର୍ଣ୍ଣଙ୍କ ମୃତ୍ୟୁ ପରେ ଯେତେବେଳେ ଓ୍ଵାର୍ଣ୍ଣଙ୍କ ଶବକୁ ବ୍ୟବଛ୍ଛେଦ ପାଇଁ ନିଆ ଯାଉଥିଲା ସେତେବେଳେ ଆମ୍ଵୁଲାନ୍ସରେ ଜଣେ ମହିଳା ଦେଢ ମିନିଟ୍ ପର୍ଯ୍ୟନ୍ତ ରହିଥିଲେ। ଥାଇଲାଣ୍ଡ ପୁଲିସ ଯାଞ୍ଚ କରୁଛି ଯେ ସେହି ମହିଳା ଓ୍ଵାର୍ଣ୍ଣଙ୍କ ପର୍ଯ୍ୟନ୍ତ କିପରି ପହଞ୍ଚିଲେ।

ସମ୍ବନ୍ଧିତ ଖବର