ଅଯୋଧ୍ୟାରେ ବାବ୍ରୀ ମସଜିଦ ନିର୍ମାଣକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ବିରୋଧ; ନିଷ୍ପତ୍ତିର ପୁର୍ନବିଚାର ଲାଗି ଆହ୍ବାନ ଦେଲେ

ପୁରୀ : ସୁପ୍ରିମକୋର୍ଟଙ୍କ ରାୟ ମୁତାବକ  ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ୫ ଏକରର ଜମି ପ୍ରଦାନ କରାଯାଇଛି। ତେବେ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି, ଏହି ନିଷ୍ପତ୍ତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ। ଏପରିକି ଯେଉଁମାନେ ଏଭଳି ନିଷ୍ପତ୍ତି ନେଉଛନ୍ତି ସେମାନେ ଦେଶରେ ଅରାଜକତା ସୃଷ୍ଟିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ସ୍ପଷ୍ଟ ମତ ଦେଇଛନ୍ତି ଶଙ୍କରାଚାର୍ଯ୍ୟ।

ସେହିପରି ଶଙ୍କରାଚାର୍ଯ୍ୟ କହିଛନ୍ତି, ବାବର ଜଣେ ଆତଙ୍କବାଦୀ। ସେ ମାନବତା ଉପରେ ଦମନଲୀଳା କରିଥିବା ସହ  ଅରାଜକତାର ପ୍ରସାର କରିଥିଲେ। ତେଣୁ  ବିଶ୍ୱ ସମୁଦାୟ ନିକଟରେ ସେ ଜଣେ ଆତଙ୍କବାଦୀ । ହେଲେ ବାବରଙ୍କୁ ସମ୍ମାନ ଦେଇ ମସଜିଦ୍ ନିର୍ମାଣ ପାଇଁ ଅଯୋଧ୍ୟାରେ ଜମି ଦେବା ଅର୍ଥ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା । କାରଣ ଯାହା ଆଜି ଅଯୋଧ୍ୟାରେ ଘଟିଛି ତାହା ଆଗକୁ ମଥୁରା ଓ ବାରଣାସୀରେ ବି ସୃଷ୍ଟି ହୋଇପାରେ । ସରକାର ଏହି ନିଷ୍ପତ୍ତିର ପୁନଃବିଚାର କରିବାକୁ ଶଙ୍କରାଚାର୍ଯ୍ୟ ଅନୁରୋଧ କରିଛନ୍ତି ।

ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ନିର୍ଦ୍ଦେଶ ଦେବା ସହ ମସଜିଦ ନିର୍ମାଣ ଲାଗି କହିଛନ୍ତି । ଏଥିପାଇଁ ମୁସଲିମ ପକ୍ଷକୁ ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଗତକାଲି ସରକାର କୋର୍ଟଙ୍କ  ନିର୍ଦ୍ଦେଶ ଅନୁସାରେ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି । ଏଥିରେ ଜଣେ ଦଳିତଙ୍କ ସହ ୧୫ ଜଣ ସଦସ୍ୟ ଅଛନ୍ତି ।

ସମ୍ବନ୍ଧିତ ଖବର