ରାମମନ୍ଦିର ଭୂମିପୂଜା ମୁହୂର୍ତ୍ତକୁ ନେଇ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଅଶୁଭ ବୋଲି କହିଲେ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ତାରିଖକୁ ନେଇ ବିବାଦ ଛିଡା ହୋଇଛି। ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଭୂମିପୂଜା ପାଇଁ ନିର୍ଣ୍ଣୟ ହୋଇଥିବା ତାରିଖକୁ ଅଶୁଭ ବୋଲି କହିଛନ୍ତି।

ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ କହିଛନ୍ତି ଯେ, ଆମେ ରାମ ଭକ୍ତ, ମନ୍ଦିର ଯିଏ ବି ନିର୍ମାଣ କରୁ ଆମେ ପ୍ରସନ୍ନ ହେବୁ, କିନ୍ତୁ ସେଥିପାଇଁ ଉଚିତ ତିଥି ଓ ଶୁଭ ମୁହୂର୍ତ୍ତ ନିର୍ଣ୍ଣୟ ହେବ। ଉଚିତ। କାରଣ ରାମମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଓ ଶିଳାନ୍ୟାସ ପାଇଁ ଯେଉଁ ତାରିଖ ନିର୍ଣ୍ଣୟ ହୋଇଛି ତାହା ଅଶୁଭ। ଯଦି ମନ୍ଦିର ଜନତାଙ୍କ ଦାନରେ ତିଆରି ହେଉଛି ତାହେଲେ ଜନତାଙ୍କ ମତାମତ ମଧ୍ୟ ନେବା ଉଚିତ। ଏଥିରେ ରାଜନୀତି ନରହିବା ଆବଶ୍ୟକ। ଅଗଷ୍ଟ ୫ ତାରିଖରେ ଦକ୍ଷିଣାୟନ ଭାଦ୍ରପଦ ମାସ କୃଷ୍ଣପକ୍ଷ ଦ୍ୱିତୀୟ ତିଥି ପଡ଼ୁଛି। ଶାସ୍ତ୍ରରେ ଭାଦ୍ରପଦ ମାସରେ ଗୃହ, ମନ୍ଦିର ଆଦି ଆରମ୍ଭ କାର୍ଯ୍ୟ ନିଷିଦ୍ଧ ରହିଛି । ବିଷ୍ଣୁ ଧର୍ମ ଶାସ୍ତ୍ର ଓ ନୈବଜ୍ଞ ବଲ୍ଲଭ ଗ୍ରନ୍ଥର ମଧ୍ୟ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଉଦାହରଣ ଦେଇଛନ୍ତି ।

ଅନ୍ୟପକ୍ଷରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ଅଗଷ୍ଟ ୫ ତାରିଖରେ ଏହି ଭୂମିପୂଜା ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସମ୍ମତି ଦିଆଯିବା ପରେ ତାହାକୁ ଏନସିପି ମୁଖ୍ୟ ଶରଦ ପାଓ୍ଵାର ସମାଲୋଚନା କରି କହିଥିଲେ ଯେ ରାମନ୍ଦିର ନିର୍ମାଣ କରିଦେଲେ ଦେଶରୁ କରୋନା ହଟିଯିବ ବୋଲି କେତେକ ଲୋକ ଭାବୁଛନ୍ତି । ପାଓ୍ଵାରଙ୍କ ଏହି ମନ୍ତବ୍ୟକୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ମଧ୍ୟ ସମର୍ଥନ କରିଥିଲେ।

ତେବେ ପାଓ୍ଵାରଙ୍କ ଏହି ମନ୍ତବ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି) ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଭିଏଚପି ପକ୍ଷରୁ କୁହାଯାଇଛି ଯେ ରାମମନ୍ଦିର ନିର୍ମାଣ କରିଦେଲେ କରୋନା ହଟିଯିବ ବୋଲି କେହି ଦାବି କରିନାହିଁ । ଦେଶରୁ କରୋନାର ମୁକାବିଲା କରିବାକୁ ମୋଦୀ ସରକାର ଅନେକ ପଦକ୍ଷେପ ନେଇ ସାରିଛନ୍ତି ଓ ନେଉଛନ୍ତି ମଧ୍ୟ । କିନ୍ତୁ କରୋନା ସହିତ ଦେଶର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବି ଜାରି ରହିବା ଉଚିତ। ଦେଶରୁ କରୋନା ହଟିବାକୁ ରାମ ମନ୍ଦିର ଆନ୍ଦୋଳନ ହୋଇ ନଥିଲା।

ସମ୍ବନ୍ଧିତ ଖବର