ବିଜେପି ଉପରେ ବର୍ଷିଲେ ଶରଦ ପାୱାର: ଦେଶମୁଖଙ୍କୁ କ୍ଲିନଚିଟ୍ ଦେଇ କହିଲେ ପ୍ରତି ଘଣ୍ଟାର ମୂଲ୍ୟ ଆଦାୟ କରାଯିବ

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାର ନାଗପୁରଠାରେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି । ସେ ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ କ୍ଲିନଚିଟ୍ ଦେଇ କହିଛନ୍ତି ଯେ, ଅନିଲ ଦେଶମୁଖଙ୍କ ଗିରଫର ପ୍ରତିଦିନ ଓ ପ୍ରତି ଘଣ୍ଟାର ମୂଲ୍ୟ ଆଦାୟ କରାଯିବ । ଏହାସହ ଉକ୍ତ ସଭାରେ ପାୱାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ପକ୍ଷପାତିତା ନେଇ ବି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଆମେ ମହାରାଷ୍ଟ୍ରର ବିକାଶକୁ ଆଗକୁ ନେବାକୁ ଚାହୁଁଥିବା ବେଳେ କିଛି ଲୋକ ଏହାକୁ ବରଦାସ୍ତ କରିପାରୁ ନାହାଁନ୍ତି । ହାତରୁ କ୍ଷମତା ଚାଲିଗଲା ପରେ କିଛି ଲୋକ ଅସ୍ତବ୍ୟସ୍ତ ହୋଇ ଦିଲ୍ଲୀର ସହାୟତାରେ ମହାରାଷ୍ଟ୍ର ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଏହାସହ ଏନସିପି, କଂଗ୍ରେସ ଓ ଶିବସେନାର ନେତାମାନଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ଲଗାଇ ହଇରାଣ କରାଯାଉଛି ।

ଅନ୍ୟପଟେ ମୁମ୍ବାଇ ପୂର୍ବତନ ପୁଲିସ କମିସନର ପରମବୀର ସିଂଙ୍କୁ ଟାର୍ଗେଟ କରି ପାୱାର କହିଛନ୍ତି ଯେ, ରାଜ୍ୟ ସରକାର ତାଙ୍କୁ ପଳାତକ ଘୋଷିତ କରିଛନ୍ତି ସତ ହେଲେ ଜଣେ ପୁଲିସ କମିସନର ଏଭଳି ଗାଏବ ହୋଇଯିବାଟା ସହଜରେ ଗ୍ରହଣ କରାଯାଇ ପାରିବ ନାହିଁ ।

ଅନ୍ୟପଟେ କେନ୍ଦ୍ରୀୟ ଏଜେନ୍ସିକୁ କେନ୍ଦ୍ର ସରକାର ଅପବ୍ୟବହାର କରୁଥିବା ନେଇ ପାୱାର କହିଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍ସି ଯେତେ ଚଢାଉ କରିବାର ଅଛି କରୁ, ଯେତେ ଲୋକଙ୍କ ନାଁ ମିଥ୍ୟା ମାମଲା ରୁଜୁ କରି ଗିରଫ କରିବାର ଅଛି କରୁ ହେଲେ ଏହାର ଜବାବ ଭୋଟରମାନେ ମତଦାନବେଳେ ଦେବେ ଓ ଏଭଳି ଷଡ଼ଯନ୍ତ୍ର କରୁଥିବା ଦଳକୁ ନିଶ୍ଚିତ ପରାଜୟକୁ ସାମ୍ନା କରିବାକୁ ପଡିବ ।
ସମ୍ବନ୍ଧିତ ଖବର