ନୂଆଦିଲ୍ଲୀ: ଅଜିତ ପାୱାରଙ୍କ ଗୋଷ୍ଠୀକୁ ‘ପ୍ରକୃତ’ ଏନସିପି ବୋଲି ନିର୍ବାଚନ କମିଶନ ଘୋଷଣା କରିବା ପରେ ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀ ବୁଧବାର ନିର୍ବାଚନ କମିଶନଙ୍କ ନିକଟରେ ତିନିଟି ନାମ ଏବଂ ଚିହ୍ନ ଦାଖଲ କରିଛନ୍ତି। ତେବେ, ଶରଦ ପାୱାରଙ୍କ ନେତୃତ୍ୱାଧୀନ ଦଳ ପାଇଁ ନିର୍ବାଚନ କମିଶନ ‘ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି-ଶରଦଚନ୍ଦ୍ର ପାୱାର’ର ନାମ ଆବଣ୍ଟନ କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଶରଦ ପାୱାରଙ୍କ ଗୋଷ୍ଠୀ ସେମାନଙ୍କ ପାଇଁ ନିମ୍ନଲିଖିତ ନାମ ପ୍ରସ୍ତାବ ଦେଇଛି: ‘ଶରଦ ପାୱାର କଂଗ୍ରେସ’, ‘ମି ରାଷ୍ଟ୍ରବାଦୀ’, ‘ଶରଦ ସ୍ୱାଭିମାନୀ’ ଏବଂ ତିନିଟି ପ୍ରତୀକ ବା ଦଳୀୟ ଚିହ୍ନ - ‘ଚା’ କପ୍‌’, ‘ସୂର୍ଯ୍ୟମୁଖୀ’ ଏବଂ ‘ଉଦୀୟମାନ ସୂର୍ଯ୍ୟ’।

ଅଜିତ ପାୱାର ଗୋଷ୍ଠୀ ‘ପ୍ରକୃତ ଏନସିପି’ ବୋଲି ନିର୍ବାଚନ କମିଶନ ମଙ୍ଗଳବାର ଘୋଷଣା କରିବା ପରେ ପାୱାରଙ୍କ ଗୋଷ୍ଠୀକୁ ତାଙ୍କ ରାଜନୈତିକ ଦଳ ଗଠନ ପାଇଁ ନୂତନ ନାମ ଦାଖଲ କରିବାକୁ କୁହାଯାଇଥିଲା। ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ କମିଶନ ଏନସିପି ଚିହ୍ନ ‘ଘଣ୍ଟା’ ବା ‘କ୍ଲକ୍‌’ ମଧ୍ୟ ଆବଣ୍ଟନ କରିଛନ୍ତି।

ଅଜିତ ପାୱାର ଗୋଷ୍ଠୀ କମିଶନଙ୍କ ଏହି ରାୟକୁ ସ୍ୱାଗତ କରି କହିଛନ୍ତି ଯେ ସଂଖ୍ୟାଗରିଷ୍ଠତାକୁ ପ୍ରାଥମିକତା ଦିଆଯାଇଛି।

ଅନ୍ୟପକ୍ଷରେ ଶରଦ ପାୱାରଙ୍କ ଶିବିର ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିବା ସହ ସେମାନେ କମିଶନଙ୍କ ଏପରି ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଘୋଷଣା କରିଛନ୍ତି। ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଗୋଷ୍ଠୀ କହିଛି ଯେ ନିର୍ବାଚନ କମିଶନ ତାଙ୍କ ନିଷ୍ପତ୍ତିରେ ଲଜ୍ଜିତ ହେବା ଉଚିତ୍‌। ଏହା ଘଟିବାକୁ ଯାଉଥିଲାଯ ଆମେ ଏହା ପୂର୍ବରୁ ଜାଣିଥିଲୁ। ଆମ ପାଖରେ ଏବେ ବି କ୍ଷମତା ଅଛି କାରଣ ଆମ ପାଖରେ ଶରଦ ପାୱାର ଅଛନ୍ତି। ଆମେ ସୁପ୍ରିମକୋର୍ଟ ଯିବୁ ବୋଲି ଶରଦ ପାୱାରଙ୍କ କ୍ୟାମ୍ପ ନେତା ଜିତେନ୍ଦ୍ର ଅହୱାଦ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଜିତ ପାୱାର ଗତ ବର୍ଷ ଜୁଲାଇରେ ଏନସିପିର ଅଧିକାଂଶ ବିଧାୟକଙ୍କ ସହ ଦଳରୁ ଚାଲି ଯାଇଥିଲେ ଏବଂ ମହାରାଷ୍ଟ୍ରରେ ବିଜେପି-ଶିବସେନା ନେତୃତ୍ୱାଧୀନ ସରକାରକୁ ସମର୍ଥନ କରିଥିଲେ।