ଶରଦ ପାୱାର ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି

ନୂଆଦିଲ୍ଲୀ: ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏହା ପୂର୍ବରୁ ଜଣେ ସର୍ବସମ୍ମତ ପ୍ରାର୍ଥୀ ଚୟନ କରିବା ଲାଗି ବିରୋଧୀ ଦଳଗୁଡ଼ିକ ଅଣ୍ଟା ଭିଡ଼ିଛନ୍ତି। ବିରୋଧୀ ଦଳଗୁଡ଼ିକ ଏକାଧିକ ବୈଠକ ମଧ୍ୟ ଚଳାଇଛନ୍ତି। ବୈଠକଗୁଡ଼ିକରୁ ଯାହା ଆଭାସ ମିଳୁଛି ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇ ପାରେ। କଂଗ୍ରେସ ମଧ୍ୟ ପାୱାରଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରୁଥିବା କୁହାଯାଉଛି। ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଗତ ଗୁରୁବାର ପାୱାରଙ୍କୁ ଭେଟି ଦଳର ସଭାପତି ସୋନିଆ ଗାନ୍ଧିଙ୍କ ବାର୍ତ୍ତା ପ୍ରଦାନ କରିଛନ୍ତି। ଖଡ୍‌ଗେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କଥା ହୋଇଛନ୍ତି। ଏଥିସହିତ ସେ ରବିବାର ଦିନ ମଧ୍ୟ ଆପ୍‌ ନେତା ସଞ୍ଜୟ ସିଂହ ପାୱାରଙ୍କ ସହିତ ଆଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ଏହାର ମୁଖ୍ୟ ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରି ଜଣେ ସର୍ବସମ୍ମତ ପ୍ରାର୍ଥୀ ଚୟନ କରିବା ଲାଗି ସବୁଜ ସଙ୍କେତ ଦେଇଛି। ଏମଏଲଏ ଓ ଏମପିମାନଙ୍କୁ ନେଇ ଗଠିତ ଇଲେକ୍ଟ୍ରୋରାଲ କଲେଜ ଆଧାରରେ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ନୂଆ ରାଷ୍ଟ୍ରପତି ଚୟନ ପାଇଁ ୪୮୦୯ ଜଣ ସାଂସଦ ଓ ବିଧାୟକ ଭୋଟଦେବେ। ପ୍ରତ୍ୟେକ ବିଧାୟକଙ୍କ ଭୋଟ ସେମାନଙ୍କ ରାଜ୍ୟର ଲୋକସଂଖ୍ୟା ଓ ବିଧାନସଭା ଆସନ ଅନୁସାରେ ସ୍ଥିର ହୋଇଥାଏ। ଇଲେକ୍ଟ୍ରୋରାଲ କଲେଜର ମୋଟ ଭୋଟ ମୂଲ୍ୟ ୧୦,୮୬,୪୩୧। ଯେଉଁ ପ୍ରତିନିଧି ୫୦ ପ୍ରତିଶତରୁ ଅଧିକ ଭୋଟ ପାଇବ ସେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବେ। ବିଜେପି ଓ ସହଯୋଗୀ ଦଳଙ୍କ ନିକଟରେ ଜିତିବା ପାଇଁ ୧୩୦୦୦ କମ ଭୋଟ ରହିଛି।

ସମ୍ବନ୍ଧିତ ଖବର