ଏହି କାରଣ ଦର୍ଶାଇ ଦିଦିଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କଲେ ଶରଦ ପାୱାର

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ରଣନୀତି ଉପରେ ଆଲୋଚନା କରିବାକୁ ବୁଧବାର ଦିନ ଦିଲ୍ଲୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବୈଠକ ଡକାଇଛନ୍ତି। ଏହା ପୂର୍ବରୁ ଦିଦି ଆଜି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟିଥିଲେ। ଏହି ସାକ୍ଷାତ ସମୟରେ ମମତା ବାନାର୍ଜୀ ଶରଦ ପାୱାରଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ପ୍ରାର୍ଥୀ ହେବାକୁ କହିଥିଲେ। ହେଲେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଛନ୍ତି ବୋଲି କହି ଏନସିପି ମୁଖ୍ୟ ଶରଦ ପାୱାର ଦିଦିଙ୍କ ପ୍ରସ୍ତାବକୁ ନାଁ କରିଥିବା ଜଣାପଡ଼ିଛି।

ବିଶେଷ କଥା ହେଉଛି ରାଷ୍ଟ୍ରପତି ନିର୍ବାଚନରେ ​​ଏଥର ଜିତିବା ପାଇଁ ଏନଡିଏ ପାଖରେ ପର୍ଯ୍ୟାପ୍ତ ଭୋଟ୍ ନାହିଁ। ତେଣୁ ମମତା ସବୁ ବିରୋଧୀଙ୍କୁ ଏକଯୁଟ କରି ସର୍ବସମ୍ମତ ପ୍ରାର୍ଥୀ ଦେବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ହେଲେ ସେ ପାୱାରାଙ୍କୁ ପ୍ରାର୍ଥୀ କରିବା ପାଇଁ ଚିନ୍ତା କରୁଥିବା ବେଳେ ଏବେ ତାଙ୍କ ଆଶା ଆଶାରେ ରହିଯାଇଛି।

ତେବେ ଗତକାଲି ହେବାକୁ ଥିବା ବୈଠକରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଜୟରାମ ରମେଶ ଏବଂ ରଣଦୀପ ସିଂ ସୁରଜେୱାଲା ଯୋଗଦେବେ। ଏହା ବ୍ୟତୀତ ଆରଏଲଡି ନେତା ଜୟନ୍ତ ଚୌଧୁରୀ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ବିରୋଧୀଦଳର ନେତାଙ୍କ ବୈଠକ ଅନୁଷ୍ଠିତ ହେବ।

ଶନିବାର ଦିନ ମମତା ବାନାର୍ଜୀ ବିରୋଧୀ ଦଳର ନେତାମାନଙ୍କୁ ଚିଠି ଲେଖି ସେମାନଙ୍କୁ ଏହି ସଭାରେ ଯୋଗଦେବାକୁ ଅନୁରୋଧ କରିଥିଲେ । ତୃଣମୂଳ ସୁପ୍ରିମୋ ଏ ବାବଦରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେରଳ ମୁଖ୍ୟମନ୍ତ୍ରୀ ତଥା ବାମନେତା ପିନାରାୟି ବିଜୟନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମହାରାଷ୍ଟ୍ରର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିଲେ ।

ସମ୍ବନ୍ଧିତ ଖବର