ମୁମ୍ବାଇ : କଂଗ୍ରେସ ପରେ ଏବେ ଏନସିପି ମଧ୍ୟ ପାଲେଷ୍ଟାଇନ ଲୋକଙ୍କ ପ୍ରତି ସମର୍ଥନ ଘୋଷଣା କରିଛି । ଏନସିପି ନେତା ଶରଦ ପାଓ୍ବାର କହିଛନ୍ତି ଯେ ଇସ୍ରାଏଲ-ପାଲେଷ୍ଟାଇନ୍ ସଂଘର୍ଷ ସମଗ୍ର ବିଶ୍ବ ଶାନ୍ତି ପାଇଁ ବିପଦ । ଇସ୍ରାଏଲ ବଳପୂର୍ବକ ପାଲେଷ୍ଟାଇନବାସୀଙ୍କ ଜମିକୁ ମାଡ଼ିବସିଛି ବୋଲି ସେ କହିଛନ୍ତି ।
ରବିବାର ମୁମ୍ବାଇର ଆଞ୍ଚଳିକ କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପାଓ୍ବାର ପାଲେଷ୍ଟାଇନ ପ୍ରତି ନିଜର ସମର୍ଥନ ଜଣାଇଥିଲେ। ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବିଶ୍ୱ ଶାନ୍ତି ପାଇଁ ବିପଦ । ସେଠାରେ ଥିବା ଜମି ଓ ଘର ଗୁଡ଼ିକ ପାଲେଷ୍ଟାଇନର ଥିଲା, କିନ୍ତୁ ଇସ୍ରାଏଲ୍ ଏହାକୁ ଦଖଲ କରିନେଇଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀ ପାଲେଷ୍ଟାଇନ୍କୁ ସାହାଯ୍ୟ କରୁଥିଲେ । ଭାରତ କେବେ କୌଣସି ପକ୍ଷକୁ ସାହାଯ୍ୟ କରିନାହିଁ, କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଦୁର୍ଭାଗ୍ୟବଶତଃ ଇସ୍ରାଏଲକୁ ସମର୍ଥନ କରି ମୂଳ ଅଧିବାସୀମାନଙ୍କୁ ବିରୋଧ କରିଛନ୍ତି। ଏନସିପିର ଭୂମିକା ସ୍ପଷ୍ଟ ଯେ ଏହା ଉକ୍ତ ଭୂମିର ମୂଳ ମାଲିକ (ପାଲେଷ୍ଟାଇନବାସୀ)ଙ୍କ ସପକ୍ଷରେ ରହିଛି।
ସୂଚନାଯୋଗ୍ୟ ଯେ, ଇସ୍ରାଏଲ-ହମାସ ଯୁଦ୍ଧରେ ଭାରତ ସରକାର ଇସ୍ରାଏଲ ସପକ୍ଷରେ ଥିବାବେଳେ କଂଗ୍ରେସ ଓ ଆଉ କେତେକ ବିରୋଧୀ ଦଳ ପାଲେଷ୍ଟାଇନ ସପକ୍ଷରେ ରହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/sharad-pawar.jpg)