ସିନ୍ଦେଙ୍କୁ ପେଡ଼ା ଖୋଇଲେ କୋଶିୟାରୀ; ଶରଦ ପାୱାର୍‌ କହିଲେ, ରାଜ୍ୟପାଳଙ୍କ ଚର୍ଚ୍ଚାରେ ଗୁଣାତ୍ମକ ପରିବର୍ତ୍ତନ ଘଟିଛି

ମୁମ୍ବାଇ: ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ପେଡ଼ା ଖୁଆଇବା ଦୃଶ୍ୟ ଥିବା ଫଟୋ ଦେଖି ଶନିବାର ଦିନ ‘ଏନ୍‌ସିପି’ ମୁଖ୍ୟ ଶରଦ ପାୱାର୍‌ ବିଦ୍ରୂପ କରି କହିଛନ୍ତି କି, ଜନପ୍ରତିନିଧିମାନଙ୍କୁ ରାଜ୍ୟପାଳଙ୍କ ଚର୍ଚ୍ଚାରେ ଗୁଣାତ୍ମକ ପରିବର୍ତ୍ତନ ଘଟିଛି।

ପୁଣେରେ ଭାଷଣ ଦେବା ବେଳେ ପାୱାର୍‌ କହିଛନ୍ତି, ଟେଲିଭିଜନ୍‌ରେ ମୁଁ ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡ଼ନବୀସ ଶପଥ ଗ୍ରହଣ ଉତ୍ସବ ଦେଖିଲି। ସେ (ରାଜ୍ୟପାଳ) ତାଙ୍କୁ ପେଡ଼ା ଖୁଆଇବା ସହ ଫୁଲତୋଡ଼ା ଦେଇ ସ୍ବାଗତ କଲେ। ମନେହୁଏ ତାଙ୍କଠାରେ (ରାଜ୍ୟପାଳ) କିଛି ଗୁଣାତ୍ମକ ପରିବର୍ତ୍ତନ ଘଟିଛି।

Image Courtesy of Zee News

୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ‘ମହା ବିକାଶ ଅଘାଡ଼ି’ ନେତାଙ୍କ ଶପଥ ଗ୍ରହଣ ଉତ୍ସବ କଥା ସ୍ମରଣ କରି ପାୱାର୍‌ କହିଲେ, ମୁଁ ସେଠାରେ ଉପସ୍ଥିତ ଥିଲି। ସେତେବେଳେ କିଛି ମନ୍ତ୍ରୀ କୌଣସି ବିଶିଷ୍ଟ ବା ଆଦର୍ଶ ବ୍ୟକ୍ତିତ୍ବଙ୍କ ନାମରେ ଶପଥ ଗ୍ରହଣ କରିବାରୁ କୋଶିୟାରୀ ଆପତ୍ତି କରିଥିଲେ। ସେତେବେଳେ ସେ ମୋ ଆଡ଼କୁ ମଧ୍ୟ ଆଙ୍ଗୁଠି ଦେଖାଇଥିଲେ ଓ କେବଳ ‘ଫର୍ମାଟ୍‌’ ଅନୁସାରେ ଶପଥ ନେବାକୁ ସେମାନଙ୍କୁ କହିଥିଲେ।

ମାତ୍ର, ଗୁରୁବାର ଦିନ ଏକନାଥ ସିନ୍ଦେ ଶପଥ ନେଲା ବେଳେ ସେ ସ୍ବର୍ଗତ ବାଲାସାହେବ ଠାକ୍‌ରେ ଏବଂ ସ୍ବର୍ଗତ ଆନନ୍ଦ ଦିଘେଙ୍କ ନାମ ଉଲ୍ଲେଖ କରିଥିଲେ, କିନ୍ତୁ ଏଥର କୋଶିୟାରୀ ଆପତ୍ତି କରି ନ ଥିଲେ।

ରାଜ୍ୟପାଳଙ୍କ ଭୂମିକା ଓ ତାଙ୍କ କାର୍ଯ୍ୟାଳୟ ଏବଂ ରାଜ୍ୟ ସରକାରଙ୍କ ସହ ସମ୍ପର୍କ କଥାରେ ବି ପାୱାର ଖୁବ୍‌ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ସେ କହିଛନ୍ତି, ରାଜ୍ୟ ମନ୍ତ୍ରୀ ପରିଷଦ୍‌ର ନିଷ୍ପତ୍ତି ଗ୍ରହଣ କରିବାକୁ ରାଜ୍ୟପାଳ ବାଧ୍ୟ ଅଟନ୍ତି। ରାଜ୍ୟପାଳଙ୍କ ‘କୋଟା’ରୁ ‘ମହା ବିକାଶ ଅଘାଡ଼ି’ ସରକାର ୧୨ଜଣ ବ୍ୟକ୍ତିଙ୍କୁ ‘ବିଧାନ ପରିଷଦ୍‌’ର ସଦସ୍ୟରୂପେ ମନୋନୀତ କରିଥିଲା। କିନ୍ତୁ, ସେ ଉକ୍ତ ତାଲିକାକୁ ଅନୁମୋଦନ ଦେଲେ ନାହିଁ। କୁହାଯାଉଛି, ରାଜ୍ୟରେ ନବ ଗଠିତ ସରକାରଙ୍କ ପାଇଁ ସେ ତ୍ବରିତ୍ବ ନିଷ୍ପତ୍ତି ଗ୍ରହଣ କରିବେ।

ଏଥିରୁ ସୁସ୍ପଷ୍ଟ ଯେ, ତାଙ୍କର କାର୍ଯ୍ୟକଳାପ ରାଜ୍ୟପାଳ ଭାବେ ନିଜେ ଗ୍ରହଣ କରିଥିବା ଶପଥର ବିରୁଦ୍ଧାଚରଣ କରୁଛି। ବିଭିନ୍ନ ରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ଲୋକଙ୍କ ପ୍ରତି ଜଣେ ରାଜ୍ୟପାଳ ନିରପେକ୍ଷତା ଅବଲମ୍ବନ କରିବା ଉଚିତ ବୋଲି ପାୱାର୍‌ କହିଛନ୍ତି।

ସମ୍ବନ୍ଧିତ ଖବର